ନୂଆ ରୂପ ନେବ ଐତିହାସିକ ବାରବାଟୀ ଷ୍ଟାଡିୟମ । ଏଥି ନିମନ୍ତେ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟ ଖେଳ ସମେତ କ୍ରିକେଟର ବିକାଶ ପାଇଁ ଆଗଇ ଆସିଛନ୍ତି ରାଜ୍ୟ ସରକାର । ଏନେଇ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ନବକଳେବର କରାଯାଉଛି। ତେବେ ଆସନ୍ତା ୨୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ରହିଛି | କିନ୍ତୁ ବାରବାଟୀ ଷ୍ଟାଡିୟମ ଭିତ୍ତି ପ୍ରସ୍ତର ସ୍ଥାପନ ପୂର୍ବରୁ ଆଜି ଏହାର ସମୀକ୍ଷା କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ରାଜ୍ୟର ଏକମାତ୍ର ଏହି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ନବକଳେବର ନିମନ୍ତେ ୬୦୦ ରୁ ୭୦୦ କୋଟି ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି। ବିସିସିଆଇର ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ଉନ୍ନତିକରଣ କାମ କରାଯିବ। ଫଳରେ ନୂତନ ଗ୍ୟାଲେରି ସହ ବହୁ ଉନ୍ନତିକରଣ କାମ କରାଯାଇ ଏକ ବିଶ୍ବସ୍ତରୀୟ ଷ୍ଟାଡିୟମରେ ପରିଣତ କରାଯିବ।
ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।ତେଣୁ ଆଜି ବାରବାଟୀ ଷ୍ଟାଡିୟମରେ 5T ଅଧ୍ୟକ୍ଷ ସମେତ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମଧ୍ୟ ଉପସ୍ଥିତ ରହି ପ୍ରକଳ୍ପର ସମୀକ୍ଷା କରିଛନ୍ତି । ତେବେ ଓସିଏର ଗତ ବାର୍ଷିକ ସାଧାରଣ ବୈଠକରେ ଏ ବାବଦରେ ଘୋଷଣା କରାଯାଇଥିଲା। ୭୦ବର୍ଷର ପୁରୁଣା ବାରବାଟୀ ଷ୍ଟାଡିୟମର ନବୀକରଣ ନିମନ୍ତେ ଆବଶ୍ୟକ ପଡ଼ିଲେ ବିଭିନ୍ନ ଗ୍ୟାଲେରୀକୁ ଭଙ୍ଗା ଯିବ ବୋଲି ଜଣାପଡିଛି। ଏଥିସହିତ ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣର ପ୍ରିଲିମିନାରୀ ପ୍ରୋଜେକ୍ଟ ରିପୋର୍ଟ (ପିପିଆର) ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିବା ପରେ ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କାମ ମଧ୍ୟ କରାଯାଉଛି। ଆସନ୍ତା ୨୭ରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଖୁବ୍ଶୀଘ୍ର କାମ କରାଯିବ ବୋଲି ଜଣାପଡିଛି। ତେବେ ରାଜ୍ୟରେ କ୍ରିକେଟକୁ ଆଗକୁ ନେବା ପାଇଁ ଓଡ଼ିଶା କ୍ରିକେଟ ସଂଘ (ଓସିଏ) ପକ୍ଷରୁ ଏହି ବୃହତ ଯୋଜନା ହାତକୁ ନିଆଯାଇଥିବା କୁହାଯାଉଛି।