ଓଡିଶାବାସୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସମୟରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ପିଲାମାନଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ମହିଳା ମାନଙ୍କ ସଶକ୍ତିକରଣ ଯାଏ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହା ବ୍ୟତୀତ କ୍ରୀଡା କ୍ଷେତ୍ରରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ପଛରେ ପଡି ନାହାଁନ୍ତି । ରାଜ୍ୟରେ ଅନ୍ୟ ଖେଳ ସମେତ କ୍ରିକେଟର ବିକାଶ ପାଇଁ ଆଗଇ ଆସିଛନ୍ତି ରାଜ୍ୟ ସରକାର। ଯାହାଫଳରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ନବକଳେବର କରାଯାଉଛି। ଏଥି ଲାଗି ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆସନ୍ତା ୨୭ ତାରିଖରେ ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ବାରବାଟୀର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଅପରପକ୍ଷେ ସେହିଦିନ ୪୨ଟି ନୂତନ କ୍ରିକେଟ ଏକାଡେମୀ ମଧ୍ୟ ଉଦ୍ଘାଟିତ ହେବ ବୋଲି ସୂଚନା ମିଳିଛି।
ତେବେ ଓସିଏର ଗତ ବାର୍ଷିକ ସାଧାରଣ ବୈଠକରେ ଏ ବାବଦରେ ଘୋଷଣା କରାଯାଇଥିଲା। ୭୦ବର୍ଷର ପୁରୁଣା ବାରବାଟୀ ଷ୍ଟାଡିୟମର ନବୀକରଣ ନିମନ୍ତେ ଆବଶ୍ୟକ ପଡ଼ିଲେ ବିଭିନ୍ନ ଗ୍ୟାଲେରୀକୁ ଭଙ୍ଗା ଯିବ ବୋଲି ଜଣାପଡିଛି। ଏଥିସହିତ ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣର ପ୍ରିଲିମିନାରୀ ପ୍ରୋଜେକ୍ଟ ରିପୋର୍ଟ (ପିପିଆର) ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିବା ପରେ ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କାମ ମଧ୍ୟ କରାଯାଉଛି। ଆସନ୍ତା ୨୭ରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଖୁବ୍ଶୀଘ୍ର କାମ କରାଯିବ ବୋଲି ଜଣାପଡିଛି। ତେବେ ରାଜ୍ୟରେ କ୍ରିକେଟକୁ ଆଗକୁ ନେବା ପାଇଁ ଓଡ଼ିଶା କ୍ରିକେଟ ସଂଘ (ଓସିଏ) ପକ୍ଷରୁ ଏହି ବୃହତ ଯୋଜନା ହାତକୁ ନିଆଯାଇଥିବା କୁହାଯାଉଛି।