SunstarTV
ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହେଇଛି । ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ର ସକାଳ ୭ଟା ୧୫ ମିନିଟରେ ଖୋଲିବା ପରେ ପରୀକ୍ଷାର୍ଥୀ ସାଢେ ୭ଟାରେ ହଲକୁ ପ୍ରବେଶ କରିବେ। ପରେ ସାଢେ ଆଠଟାରେ ଛାତ୍ରଛାତ୍ରୀଙ୍କୁ ଓଏମଆର ସିଟ୍ ଓ ଆଠଟା ୪୫ ମିନିଟରେ ପ୍ରଶ୍ନପତ୍ର ଦିଆଯିବ । ୯ ଟାରେ ପରୀକ୍ଷା ଆରମ୍ଭ ହେଇଛି ।
ସମସ୍ତ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ସର୍ଭିଲାନସରେ ରଖାଯାଇଛି । କୌଣସି ସ୍ଥାନରେ ବିଶୃଙ୍ଖଳା ଓ ଅନିୟମିତା ନଜର ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ କୌଣସି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଛଡାଯିବ ନାହିଁ । ପରୀକ୍ଷାର ମାତ୍ର ୧୫ ମିନିଟ ଆଗରୁ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଓ ଦୁଇଜଣ ଛାତ୍ରଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ ।
ସାରା ରାଜ୍ୟରେ ବୋର୍ଡ ପକ୍ଷରୁ ୨୯୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରଶ୍ନପତ୍ର ରଖିବା ପାଇଁ ୩୧୩ଟି ନୋଡାଲ ସେଣ୍ଟର କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ୨୧ଟି ଥାନା ଓ ଗୋଟିଏ ବିଟ୍ ହାଉସରେ ନୋଡାଲ ସେଣ୍ଟର କରାଯାଇଛି । ମାଟ୍ରିକ ସହ ୭ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେବେ । ପରୀକ୍ଷାକୁ ଶୃଙ୍ଖଳିତ ତଥା କପିମୁକ୍ତ କରିବା ପାଇଁ ଏଥର ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି ।