ଆଜିର ସମୟରେ ମଧୁମେହ ରୋଗ ପ୍ରାୟ ଦେଖିବାକୁ ଗଲେ ଘରେ ଘରେ ବିସ୍ତାରିତ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଆମକୁ ଆମର ସ୍ୱାସ୍ଥ୍ୟକୁ ଏବେ ଠାରୁ ଜଗି ରଖି ଚଳିବାକୁ ହେବ।
ହେଲେ ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ନଷ୍ଟ କରିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। କିନ୍ତୁ ଆପଣ ଜାଣନ୍ତି କି ଉପଯୁକ୍ତ ଖାଇବା ଏବଂ ବ୍ୟାୟାମ କରିବା ପରେ ମଧ୍ୟ ଗ୍ରୀଷ୍ମ ଋତୁରେ ବ୍ଲଡ଼ ସୁଗାର ବଢ଼ିପାରେ। ଯେତେବେଳେ ବହୁ ମାତ୍ରାରେ ଗରମ ହୁଏ ଏବଂ ହିଟ ୱେବ ଯୋଗୁଁ ଶରୀର ଝାଳେଇବା ଆରମ୍ଭ କରେ ଶରୀରରେ ଜଳର ଅଭାବ ଦେଖାଯାଏ।
ଏହାକୁ ଏଡ଼ାଇବା ପାଇଁ ଆମକୁ ଗ୍ରୀଷ୍ମ ଋତୁରେ କିଛି ବିଶେଷ ଜିନିଷକୁ ଡାଏଟରେ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ। ଯାହା ଦ୍ୱାରା ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିବ।
ଆସନ୍ତୁ ଜାଣିବା ଏହି ବିଶେଷ ଜିନିଷ ବିଷୟରେ…
୧. ଗ୍ରୀଷ୍ମ ଋତୁରେ ତରଳ କିମ୍ବା ଅର୍ଦ୍ଧ ତରଳ ଖାଦ୍ୟ ଶରୀର ପାଇଁ ବହୁତ ଲାଭଦାୟକ ହେଇଥାଏ। ତେଣୁ ଦୈନଦିନ ଖାଦ୍ୟରେ ସୁପ୍, ଲେମ୍ବୁ ପାଣି, କାକୁଡି କିମ୍ବା ଗ୍ରୀନ୍ ଟି ଇତ୍ୟାଦି ଗ୍ରହଣ କରନ୍ତୁ। ପ୍ରତି ଘଣ୍ଟାରେ ଅତି କମରେ ଏକ ଗ୍ଲାସ୍ ପାଣି ପିଅନ୍ତୁ।
୨. ଗ୍ରୀଷ୍ମ ଋତୁରେ ଖାଦ୍ୟରେ ସାଲାଡର ପରିମାଣ ବଢ଼ାନ୍ତୁ ଏବଂ ଅଧିକ ଡାଲି, ଛତୁଆ, ସ୍ମୁଦି ଇତ୍ୟାଦି ଖାଆନ୍ତୁ, ଖାଦ୍ୟରେ ଅଧିକ ସୁପ୍ ପିଇବାକୁ ମଧ୍ୟ ଚେଷ୍ଟା କରନ୍ତୁ। ଅଧିକ ଜଳୀୟ ଅଂଶ ଥିବା ପରିବା ନିଜ ଖାଦ୍ୟରେ ସାମିଲ କରନ୍ତୁ।
୩. ବ୍ୟାୟାମର ସମୟ ପରିବର୍ତ୍ତନ କରନ୍ତୁ। ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୬ଟା ପରେ ବ୍ୟାୟାମ କରନ୍ତୁ, ଏବଂ ଯଦି ବହୁତ ଗରମ ହେଉଥାଏ, ତେବେ ଘରେ କିମ୍ବା ଜିମ୍ ଭିତରେ ବ୍ୟାୟାମ କରନ୍ତୁ, କାରଣ ଅତ୍ୟଧିକ ଝାଳ ବାହାରିବ ଶରୀର ପାଇଁ ଭଲ ନୁହେଁ।
୪. ଏସିରେ ଅଧିକ ସମୟ ବିତାନ୍ତୁ ନାହିଁ। କାରଣ ଏସିରେ ରହିବା ଦ୍ୱାରା ଏହା ଆପଣଙ୍କ ଶରୀରର ଆର୍ଦ୍ରତାକୁ ହ୍ରାସ କରିଥାଏ ଏବଂ ଜଳର ଅଭାବ ମଧ୍ୟ ହୋଇପାରେ।
୫. ଶୋଇବାର ସମୟକୁ ଠିକ୍ ରଖନ୍ତୁ ଏବଂ ରାତି ୧୦ଟା ଭିତରେ ଶୋଇବାର ଅଭ୍ୟାସ କରନ୍ତୁ।
୬. ଔଷଧର ସମୟକୁ ସର୍ବଦା ସମାନ ରଖନ୍ତୁ, ଏହାର ସମୟରେ ପରିବର୍ତ୍ତନ କରନ୍ତୁ ନାହିଁ।