ଭୁବନେଶ୍ବରରେ ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ତାଙ୍କ ୭ ଜଣିଆ ଟିମ୍।
ନିର୍ବାଚନ ପାଇଁ ଓଡ଼ିଶାରେ କିଭଳି ପ୍ରସ୍ତୁତି ହୋଇଛି, ତାର ଟିକିନିଖି ତର୍ଜମା କରିବେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର। ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଟିମ୍ରେ ଅଛନ୍ତି ଡେପୁଟି ନିର୍ବାଚନ କମିଶନର ଅରୁଣ ଗୋୟଲ, ସିନିୟର ଡେପୁଟି ନିର୍ବାଚନ କମିଶନର ଧର୍ମେନ୍ଦର ଶର୍ମା, ସିନିୟର ଡେପୁଟି ନିର୍ବାଚନ କମିଶନର ନୀତେଶ ବ୍ୟାସ୍।
ସେହିପରି ବିଭିନ୍ନ ବିଭାଗ ମୁଖ୍ୟ ମଧ୍ୟ ରହିବେ ଟିମ୍ରେ। କମିଶନଙ୍କ ଏହି ୮ ଜଣିଆ ଟିମ୍ ଓଡ଼ିଶାରେ EVM ସ୍ଥିତି, ବୁଥ୍ ସ୍ତରରେ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ।
ଏଥିସହ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଗୃହ ସଚିବ, ଉନ୍ନୟନ କମିଶନ ଏବଂ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ବୈଠକ କରିବେ ଏହି ଟିମ୍।
ଆଜି ରାଜନୈତିକ ଦଳ, ଡିଇଓ, ଏସ୍ପି, ସିପି, ଆରଡିସି, ଆଇଜିଙ୍କ ସହ ନିର୍ବାଚନ କମିଶନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ନୋଡାଲ ଅଫିସର, ସିପିଏଫ ନୋଡାଲ ଅଫିସର, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ।
ଗତବର୍ଷ ଡିସେମ୍ବର ମାସରେ ନିର୍ବାଚନ କମିଶନଙ୍କ ୫ ଜଣିଆ ଟିମ ଓଡ଼ିଶା ଆସିଥିଲେ। ଏହି ସମୟରେ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରି ବୁଥ୍ ସ୍ତରର ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ।
ଏବେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କଠାରୁ ତଥ୍ୟ ହାସଲ କରିବେ କମିଶନଙ୍କ ଟିମ୍। ସେହି ଅନୁସାରେ ରାଜ୍ୟରେ କେତେ ପର୍ଯ୍ୟାୟ ଭୋଟିଂ ହେବ, ତାହା ସ୍ଥିର କରିବେ କମିଶନ। ଅଧିକ ଫୋକସ୍ ରହିବ ମାଓ ପ୍ରବଣ ଜିଲ୍ଲା ଉପରେ।