ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ବାଗ୍ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନକୁ ଉଦ୍ଘାଟନ କରିଛନ୍ତି।
ସୂଚନାଯୋଗ୍ୟ ଯେ ଦେଶର ଅନ୍ୟତମ ଅଗ୍ରଣୀ କ୍ୟାନସର ଚିକିତ୍ସା ପ୍ରତିଷ୍ଠାନ ବାଙ୍ଗାଲୋରର ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ସହଯୋଗରେ ଏହା ପ୍ରତିଷ୍ଠା କରାଯାଇଛି।
୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଦୈନିକ ୩୦୦ ରୋଗୀଙ୍କୁ ଅତ୍ୟାଧୁନିକ ରେଡିଓଥେରାପି ସହିତ ୧୫୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ପାଇଁ କେମୋଥେରାପି ନେବାର ସୁବିଧା କରାଯାଇଛି। ଏହି ହସ୍ପିଟାଲ ହେଉଛି ସୁବ୍ରତ ବାଗ୍ଚୀ ଓ ସୁସ୍ମିତା ବାଗ୍ଚୀଙ୍କର ଓଡିଶା ପାଇଁ ମହତ୍ୱପୂର୍ଣ୍ଣ ଅବଦାନ।
ଉଦ୍ଘାଟନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ହସ୍ପିଟାଲ ଓଡିଶା ତଥା ପୂର୍ବ ଭାରତରେ କ୍ୟାନସର ରୋଗୀଙ୍କୁ ଗୁଣାତ୍ମକ ମାନର ଓ ସୁଲଭ ଖର୍ଚ୍ଚରେ ଚିକିତ୍ସା ପ୍ରଦାନ କରି କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ଏବଂ ଏହି ହସ୍ପିଟାଲ ମାଧ୍ୟମରେ ରାଜ୍ୟର ଏକ ତୃତୀୟାଂଶ କ୍ୟାନସର ରୋଗୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।
ବାଗ୍ଚୀ ପରିବାର ଓ ଶ୍ରୀ ଶଂକର କ୍ୟାନସର ସେଣ୍ଟରର ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୋ ସରକାର ନିରନ୍ତର ଉଦ୍ୟମ କରି ଆସୁଛି।
ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ପୂର୍ବ ଭାରତରେ ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା କ୍ଷେତ୍ର ଭାବେ ପରିଗଣିତ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୂଆ ମେଡିକାଲ କଲେଜ ଖୋଲା ଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ସମସ୍ତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରଗୁଡିକୁ ସୁଦୃଢ କରାଯାଇଛି। ନିୟମିତ ଭାବେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉଛି। ଚଳିତ ବର୍ଷ କେବଳ ପ୍ରାୟ ୪୦୦୦ ଡାକ୍ତର ରାଜ୍ୟରେ ନିଯୁକ୍ତି ପାଇଛନ୍ତି।