ଅପରାଜିତା ଫୁଲ ମହାଦେବଙ୍କର ଖୁବ ପ୍ରିୟ। ଏହି ଅପରାଜିତା ଫୁଲ ସମସ୍ତଙ୍କ ବାଢ଼ିରେ ଦେଖିବାକୁ ମିଳିଥାଏ। ଲତା ହୋଇ ଚାରିଆଡେ ମାଡ଼ିଥାଏ ଏହି ଗଛ। ଅପରାଜିତାର କୌଣସି ଯତ୍ନ ନେବାକୁ ପଡ଼େନି। ଏହା ଆପେ ଆପେ ବଢ଼ିଥାଏ। ସେହିପରି ଅପରାଜିତାର ଉପକାରିତା ମଧ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ।
ଅପରାଜିତା ଫୁଲ ଯେତିକି ସୁନ୍ଦର ସେତିକି ଉପକାରି ମଧ୍ୟ। ଅପରାଜିତାରେ ଅନେକ ଔଷଧୀୟ ଗୁଣ ରହିଛି। ତେବେ ଆସନ୍ତୁ ଜାଣିବା ଅପରାଜିତା ଫୁଲର ଖାସ୍ ଗୁଣ ବିଷୟରେ କିଛି ଖାସ୍ କଥା..
ଏହି ଫୁଲ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ। ପି-କୌମାରିକ୍ ଏସିଡ୍, ଡେଲ୍ଫିନିଡିନ୍-୩, କେମ୍ଫୋରାଲ୍, ୫-ଗ୍ଲୁକୋସାଇଡ୍ ପରି ଆଣ୍ଟିଅକ୍ସିଡାଣ୍ଟରେ ଭର୍ପୂର ଏହି ଫୁଲଟିରେ ଅନେକ ସ୍ବାସ୍ଥ୍ୟଗତ ଉପକାରିତା ଅଛି।
ଆପରାଜିତା ଫୁଲ ଏହାର ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଯୋଗୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଲାଭଦାୟକ। ଏହା ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ। ଅପରାଜିତା ଫୁଲ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।
ଏହି ଫୁଲରୁ ପ୍ରସ୍ତୁତ ଚା’ ଶରୀରରେ ମେଟାବୋଲିଜିମକୁ ତ୍ୱରାନ୍ୱିତ କରିଥାଏ, ଯେଉଁ କାରଣରୁ ଶରୀରରେ ଚର୍ବି ସୃଷ୍ଟି ହୁଏ ନାହିଁ। ଅପରାଜିତା ଫୁଲରେ ଏପରି ଉପାଦାନସବୁ ରହିଛି, ଯାହା ରକ୍ତଚାପ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।
ଅପରାଜିତା ଫୁଲ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମିଯାଏ। ଏହି ଫୁଲରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କର୍କଟ କୋଷଗୁଡ଼ିକର ବୃଦ୍ଧିକୁ ଅଟକାଇବାରେ ସହାୟକ ହୋଇଥାଏ।