ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସ୍କୁବା ଡାଇଭିଂ ସର୍ବଦା ଆଶ୍ଚର୍ଯ୍ୟ ଏବଂ ବିସ୍ମୟ ସୃଷ୍ଟି କରିଥାଏ। ସାଧାରଣତଃ ଲୋକମାନେ ଯେତେବେଳେ ସ୍କୁବା ଡାଇଭିଂ ସମୟରେ ସମୁଦ୍ର ଭିତରର ପ୍ରାକୃତିକ ପରିବେଶ, ଜଳଚର ଜୀବ ଓ ସୌନ୍ଦର୍ଯ୍ୟକୁ ଦେଖିଥାନ୍ତି ସେତେବେଳେ ସ୍କୁବା ଡାଇଭରମାନଙ୍କର କୌଶଳ ଓ ସାହସକୁ ପ୍ରଶଂସା ନ କରି ରହିପାରନ୍ତି ନାହିଁ। ହେଲେ ରାତିର ଘନ ଅନ୍ଧାରରେ ସ୍କୁବା ଡାଇଭିଂ ଏମିତି ଏକ କାର୍ଯ୍ୟ, ଯାହାକୁ କରିବାକୁ କେହି କଳ୍ପନା କରିପାରନ୍ତି ନାହିଁ। ସ୍ଥଳଭାଗରେ ଅନ୍ଧାର ସାଙ୍ଗକୁ ସମୁଦ୍ର ଭିତରର କିଟମିଟ୍ ଅନ୍ଧାରରେ ପାଣିର ଘନତାକୁ ଚିରି ଭିତରକୁ ବୁଡ଼ିବା ବିପଜ୍ଜନକ ଭଳି ଲାଗିଥାଏ। ମନରେ ଚାରିଆଡୁ ଭୟ ଆଣିଦେଇଥାଏ । ଅଜ୍ଞାତର ଭୟ ସାଙ୍ଗକୁ ଚାରିପଟେ ସାମୁଦ୍ରିକ ଜୀବର ଉପସ୍ଥିତି ଏଭଳି ଆଶଙ୍କାକୁ ଆହୁରି ବଢ଼ାଇ ଦେଇଥାଏ। ତେବେ ଦୁବାଇରେ ବସବାସ କରୁଥିବା ବାପା ଝିଅଙ୍କ ଆଡଭାନସଡ୍ ସ୍କୁବା ଡାଇଭିଂ ଯୋଡ଼ି ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କ ୧୩ ବର୍ଷର ଝିଅ ତିଷ୍ୟାଙ୍କ ପ୍ରଦର୍ଶନ ଆମକୁ ଆଉ ଏକ ସ୍ମରଣୀୟ ମୁହୂର୍ତ୍ତ ଆଣିଦେଇଛି। ବାପା ଝିଅ ଯୋଡ଼ି ମାଳଦ୍ବୀପର ସନ୍ ସିୟାମ ଓଲହୁବେଲି ରିସର୍ଟର ରିଫରୁ ଘନ ଅନ୍ଧାରରେ ବୃହତାକାର ମାଣ୍ଟା ରେ’ ମାଛ ସହ ଡାଇଭିଂ କରି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି।
ମାଣ୍ଟା ରେ’ ସହ ଗଭୀର ସମୁଦ୍ରରେ ଡାଇଭିଂ କରିବା ପାଇଁ ମାଳଦ୍ବୀପର ଏହି ସନ୍ ସିୟାମ ଓଲହୁଭେଲି ରିସର୍ଟ ବିଶ୍ୱ ବିଖ୍ୟାତ। ଗଭୀର ସମୁଦ୍ରରେ ବିଚରଣ କରୁଥିବା ମାଣ୍ଟା ରେ’ ମାଛଗୁଡ଼ିକ ସାଧାରଣତଃ ରାତିରେ ଖାଦ୍ୟ ସନ୍ଧାନରେ ରିସର୍ଟ ନିକଟକୁ
ଆସିଥାନ୍ତି। ଏଠାରେ ଥିବା ପ୍ଲାଙ୍କଟନକୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ତେବେ ଏହି ରିଫ୍ ମାଣ୍ଟା ରେ’ ମାଛଗୁଡ଼ିକ ଦେଖିବାକୁ ଖୁବ୍ ବଡ଼ ଆକାରର ହୋଇଥାନ୍ତି। ଆଉ ସେମାନଙ୍କର ଡେଣା ପ୍ରାୟତଃ ୧୬ରୁ ୧୮ ଫୁଟ୍ ଲମ୍ବର ହୋଇଥାଏ। ବଡ଼କଥା ହେଲା, ମାଣ୍ଟା ରେ’ ମାଛ ସମୁଦ୍ର ଭିତରେ ବିଚରଣ କଲାବେଳେ ଲାଗନ୍ତି ଯେମିତି ଏମାନେ ଉଡୁଛନ୍ତି। ତେବେ ଗଭୀର ସମୁଦ୍ରର ନୀଳ ଜଳ ରାଶିରେ ଏମାନଙ୍କ ଆବଭାବ ଖେଳକୁଦ କଲାଭଳି ଲାଗିଥାଏ। ଆଉ ଏହିସବୁ କାର୍ଯ୍ୟକଳାପ ପାଇଁ ଜୀବଜଗତରେ ଏମାନଙ୍କର ସ୍ୱତନ୍ତ୍ରତା ରହିଛି। ପ୍ଲାଙ୍କଟନ ବା ଛୋଟ ଛୋଟ ମାଛକୁ ଖାଦ୍ୟରୂପେ ଗ୍ରହଣ କରିଥାନ୍ତି।
ତିଷ୍ୟା କହିଛନ୍ତି ଯେ ଏହା ତାଙ୍କ ଜୀବନର ସର୍ବୋତ୍ତମ ଡାଇଭିଂ ମଧ୍ୟରୁ ଅନ୍ୟତମ। ଆହୁରି କହିଛନ୍ତି ଯେ ‘ଏହିପରି ଭଦ୍ର ସ୍ୱଭାବର ମାଣ୍ଟା ସହ ଡାଇଭିଂ କରିବା ତାଙ୍କୁ ନିଆରା ଓ ମଧୁର ଅନୁଭୂତି ଆଣିଦେଇଛି। ରାତ୍ରିର ଘନ ଅନ୍ଧାରରେ ହାତରେ ଟର୍ଚ୍ଚ ଧରି ଡାଇଭିଂ କରିବା ନିଶ୍ଚିତ ଭାବରେ ଏକ ଭିନ୍ନ, ଉତ୍ସାହଜନକ ଓ ଦୁଃସାହସିକ କାର୍ଯ୍ୟ ବୋଲି ସେ କହିଛନ୍ତି।
ପ୍ରିୟଦର୍ଶୀଙ୍କ କହିବାନୁସାରେ, ସମୁଦ୍ରରେ ମାଣ୍ଟା ରେ’ ସହ ଡାଇଭିଂ ଏତେ ଚିତ୍ତାକର୍ଷକ ଥିଲା ଯେ ନ ଦେଖିଲେ ବର୍ଣ୍ଣନା କରିହେବନି। ସେ କହିଥିଲେ ଯେ ଏହା ଏକ ରୋମାଞ୍ଚକର ଡାଇଭିଂ। ତେବେ ମାଣ୍ଟା ରେ ଭଳି ଚମତ୍କାର ପ୍ରାଣୀ ସୃଷ୍ଟି କରିଥିବାରୁ ଜଣେ ଅନ୍ତତଃ ପକ୍ଷେ ପ୍ରକୃତି ମାଆକୁ ଧନ୍ୟବାଦ ଅର୍ପଣ କରିବ।