ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ୨୦୨୩ ବର୍ଷ ପାଇଁ ସମ୍ମାନଜନ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେବେ । ଗାନ୍ଧୀ ତଥା ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ରାଜସ୍ଥାନର ଜୟପୁରଠାରେ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସର୍ବ ସମ୍ମତକ୍ରମେ ଶ୍ରୀମତୀ ମହାନ୍ତିଙ୍କୁ ଏହି ସମ୍ମାନ ଦେବା ନିମନ୍ତେ ନିଷ୍ପତ୍ତି କରାହୋଇଛି । ସର୍ବ ସେବା ସଂଘର ଆଗାମୀ ରାଷ୍ଟ୍ରୀୟ ଅଧିବେଶନରେ କୃଷ୍ଣା ମହାନ୍ତିଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ନିମନ୍ତେ ସମ୍ମାନ ପତ୍ର ଓ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୃଷ୍ଣା ମହାନ୍ତି ଓଡିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କର କନିଷ୍ଠ କନ୍ୟା ତଥା ମାଆ ରମାଦେବୀ ଓ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଝିଆରୀ । ଭାରତ ଛାଡ ଆନ୍ଦୋଳନ କାଳରେ ତାଙ୍କର ସମଗ୍ର ପରିବାର ଜେଲରେ ଥିବାବେଳେ ଛୋଟ ଝିଅ କୃଷ୍ଣା ମଧ୍ୟ ମାଆଙ୍କ ସହ କଟକ ଜେଲରେ କିଛିକାଳ ବିତାଇଥିଲେ । ଜେଲରୁ ବାହାରିବା ପରେ ମହାତ୍ମା ଗାନ୍ଧୀ ତାଙ୍କୁ ତାଙ୍କ ସେବାଗ୍ରାମ ଆଶ୍ରମରେ ରଖାଇଥିଲେ । ଏକଦା ପ୍ରାତଃ ଭ୍ରମଣରେ ଯିବାକାଳରେ ମହାତ୍ମା କୃଷ୍ଣାଙ୍କ କାନ୍ଧରେ ହାତରଖି ଯାଇଥିଲେ । କୃଷ୍ଣାଙ୍କର ବଡବାପା ଗୋପବନ୍ଧୁ ଚୌଧୁରୀ ସର୍ବ ସେବା ସଂଘର ପ୍ରତିଷ୍ଠାତା ସମ୍ପାଦକ ଥିବାବେଳେ ବଡଭାଇ ମନମୋହନ ସଂଘର ସଭାପତି ଥିଲେ । ବାପା ନବକୃଷ୍ଣ ମଧ୍ୟ ମୁଖ୍ୟମନ୍ତ୍ରୀତ୍ଵ ଛାଡି ଏହାର ସଭାପତିପଦ ମଣ୍ଡନ କରିଥିଲେ । ଚଉରାଅଶୀ ବର୍ଷୀୟା କୃଷ୍ଣା ମହାନ୍ତି ସମ୍ପ୍ରତି ଅନୁଗୁଳସ୍ଥିତ ବାଜି ରାଉତ ଛାତ୍ରାବାସରେ ଅବସ୍ଥାନ କରୁଛନ୍ତି।