ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା କାଳିଆ ଛାତ୍ରବୃତ୍ତି ଯୋଜନା ପରିବର୍ଦ୍ଧିତ କରାଯାଇଛି। ଏହି ଛାତ୍ରବୃତ୍ତି ଦ୍ୱାରା ଅଧିକ ପିଲା ଉପକୃତ ହେବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ମୁତାବକ ସଂଶୋଧନ କରାଯାଇଛି। ଶୁକ୍ରବାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସଂଶୋଧିତ ‘କାଳିଆ ଛାତ୍ରବୃତ୍ତି’ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ଓ ରାଜ୍ୟ ବାହାରି ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅଲ ଇଣ୍ଡିଆ ସର୍ଭେ ଅନ ହାୟର ଏଜୁକେସନ (ଏଆଇଏସଏଚଇ) କୋଡ଼ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ସାମିଲ କରାଯାଇଛି।
ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରେ ସ୍ନାତକ ପାଠ୍ୟକ୍ରମ ପାଇଁ ପ୍ରଦାନ କରାଯାଉଥିବା କାଳିଆ ଛାତ୍ରବୃତ୍ତିରେ ନୂତନ ଭାବେ ବିବିଏ,ବିସିଏ ଓ ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ଏହି ପାଠ୍ୟକ୍ରମ ସାମିଲ କରାଯାଇଛି। ସେହିପରି ଏମ.ଟେକ, ଏମଏସ , ଏମବିଏ ଭଳି ମାଷ୍ଟର ପ୍ରୋଗ୍ରାମ ପାଠ୍ୟକ୍ରମକୁ ଛାତ୍ରବୃତ୍ତି ଅନ୍ତର୍ଭୁକ୍ତ କରାଯାଇଛି। ଆବଶ୍ୟକସ୍ଥଳେ ପାଠ୍ୟକ୍ରମ ତାଲିକାକୁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ସଂଶୋଧିତ କରାଯିବ ବୋଲି ମଧ୍ୟ ଦର୍ଶାଯାଇଛି। ସ୍ନାତ୍ତକୋତ୍ତର ପାଇଁ ସର୍ବାଧିକ ଦୁଇବର୍ଷ ଏବଂ ପିଏଚଡି ପାଇଁ ୪ବର୍ଷ ବୃତ୍ତି ଦିଆଯିବ। ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ପିଏଚଡି ପାଠ୍ୟକ୍ରମଟି ତାଲିକାଭୁକ୍ତ ହୋଇଥିବା ଆବଶ୍ୟକ। ସେହିପରି ଡିପ୍ଲୋମା ପାଠ୍ୟକ୍ରମ ସହ ରାଜ୍ୟରେ ବିଭିନ୍ନ ଟ୍ରେଡ଼ରେ ଆଟିଆଇ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।