ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରାତିରେ ଜାତୀୟ ରାଜପଥରେ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’। ଏଣିକି ଟ୍ରକ୍, ବସ୍ ଭଳି ଭାରିଯାନ ଚଲାଉଥିବା ଡ୍ରାଇଭରଙ୍କୁ ମାଗଣା ଚା’ ମିଳିବ। ଏ ସମ୍ପର୍କିତ ସୂଚନା ଦେଇଛନ୍ତି, ରାଜ୍ୟର ପରିବହନ ମନ୍ତ୍ରୀ ଟୁକୁନି ସାହୁ। ପରିବହନ ମନ୍ତ୍ରୀଙ୍କ କହିବାନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ଯୋଗାଇ ଦିଆଯିବ।
ହୋଟେଲ ଏବଂ ଢାବାରେ ଡ୍ରାଇଭରମାନେ ରାତିରେ ଚା’ ପିଇବା ସହିତ ବିଶ୍ରାମ ମଧ୍ୟ ନେଇପାରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ। କେଉଁ କେଉଁ ହୋଟେଲ ଏବଂ ଢାବାରେ ଡ୍ରାଇଭରଙ୍କ ପାଇଁ ମାଗଣା ଚା’ ଉପଲବ୍ଧ ରହିବ ସେ ନେଇ ଜିଲ୍ଲାପାଳ ଜାତୀୟ ରାଜପଥରେ ଥିବା ହୋଟେଲ ଏବଂ ଢାବା ଚିହ୍ନଟ କରିବେ ବୋଲି କୁହାଯାଇଛି।
ଅଧିକାଂଶ ସମୟରେ ରାତି ଅଧରେ ନିଦ ଆସିବା କାରଣରୁ ଦୁର୍ଘଟଣା ଘଟିଥାଏ। ଭାରିଯାନ ଚାଳକମାନେ ଅନିଦ୍ରା ରହିଥିବା କାରଣରୁ ସଡକ ଦୁର୍ଘଟଣା ଘଟିଥାଏ। ତେଣୁ ଦୁର୍ଘଟଣାଜନିତ ସମସ୍ୟାକୁ ଏଡାଇବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।