ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆନ୍ଧ୍ର ଓ ତାମିଲନାଡ଼ୁରେ ତାଣ୍ଡବ ରଚିବା ସହ ଓଡ଼ିଶା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଲା ବାତ୍ୟା ମିଗଜୋମ। ବାତ୍ୟା ମିଗଜୋମ୍ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାରେ ବ୍ୟାପକ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି।
ରାୟଗଡା ଜିଲ୍ଲାରେ ଲଗାଣ ବର୍ଷାରେ ଧାନ ସହିତ କପା, ମାଣ୍ଡିଆ ଆଦି ଫସଲ ନଷ୍ଟ ହୋଇଛି। ଶହ ଶହ ହେକ୍ଟର ଜମିରେ ଅଦିନିଆ ବର୍ଷା ଫସଲ ଉଜାଡ଼ିଦେଇଛି। ଜମିରେ ଅମଳ ଉପଯୋଗୀ ଧାନ ପାଣିରେ ବୁଡ଼ିଥିବାବେଳେ କପା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ ପାଇଁ ଏସଆରସି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଛାଡ଼ିବା ମାତ୍ରେ ତହସିଲଦାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ରିପୋର୍ଟ ପ୍ରଦାନ କରିବେ ବୋଲି ରାୟଗଡ଼ା ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି ।
ସେପଟେ କୋରାପୁଟରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ପାହାଡ଼ରୁ ଧସିଛି ମାଟି ଅତଡ଼ା। ନାରାୟଣପାଟଣା ତଳଗୁମାଣ୍ଡି ରାସ୍ତାର ବୋରିପୁଟ ନିକଟରେ ପାହାଡ଼ରୁ ମାଟି ଓ ପଥର ଧସି ରାସ୍ତାରେ ପଡ଼ିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାବେଳେ ଉଭୟ ପାର୍ଶ୍ବରେ ଗାଡ଼ିମୋଟର ଅଟକି ରହିଛି। ପ୍ରବଳ ବର୍ଷା ଯୋଗୁ ଗତକାଲି ରାତିରୁ ଏଭଳି ସ୍ଥିତି ଜାରି ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତାରୁ ମାଟି ଓ ପଥର ହଟାଇଛି।