ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସୋମବାର ସପ୍ତମୀ ତିଥିରେ ଠାକୁରଙ୍କ ମାମୁଁ ଘର ଶ୍ରୀମାଧବଙ୍କ ପୀଠରୁ ଶ୍ରୀକ୍ଷେତ୍ରକୁ ପୋଢୁଆଁ ଭାର ଯାତ୍ରା ବାହାରିଛି। ଶ୍ରୀଜିଉଙ୍କ ପାଇଁ ପାଟବସ୍ତ୍ର ଓ ଅନ୍ୟାନ୍ୟ ପୋଢୁଆଁ ସାମଗ୍ରୀ ପଠାଯାଉଛି। ଭୋଇ ସେବକ ମାନେ ଆଗରେ ପତାକା ଧରି ଚାଲିଛନ୍ତି। ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟରେ କମ୍ପୁଛି ପରିବେଶ। ପଛକୁ ଗଡ଼ୁଆ ସେବକ ଓ ପାଇକ ଆଖଡା କରୁଛନ୍ତି। ଏହା ସହିତ ରାମତାଳି ଓ ଲାଉଡ଼ି ପ୍ରଦର୍ଶନ କରାଯାଉଛି।
ଯାତ୍ରା ବାଟରେ ପ୍ରାୟ ୯୦ରୁ ଅଧିକ ସୁଶୋଭିତ ସଂକୀର୍ତ୍ତନ ଦଳ ଓ ଘଣ୍ଟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ୨୦ ଜଣ ବେହେରା ସେବକ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି। ଶୋଭାଯାତ୍ରା ମାଧବରୁ ବାହାରି ଚନ୍ଦ୍ରମଉଳି, ଚାରିଛକ, ଗୋପ, ଗଣେଶ୍ବରପୁର, ନାଗପୁର, ଷୋଳପୁର, ମଦରଙ୍ଗ, ଛଇତନା, ବାଲିଘାଇ ଦେଇ ଅପରାହ୍ନ ୨ଟା ୩୦ରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ। ବାଲିଘାଇଠାରେ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଆଶ୍ରମଠାରେ ସାମୟିକ ରହଣିର ବ୍ୟବସ୍ଥା ହୋଇଛି। ସେଠାରୁ ଅପରାହ୍ନ ୩ଟାରେ ଦ୍ଵିତୀୟ ପର୍ଯ୍ୟାୟ ଶୋଭାଯାତ୍ରା ଆରମ୍ଭ ହେବ। ଅପରାହଣ ୫ଟା ସୁଦ୍ଧା ମହାପ୍ରଭୁଙ୍କ ପୋଢୁଆଁ ଭାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚାଇବା ସହ ଏହି ପବିତ୍ର ଯାତ୍ରା ସମ୍ପନ୍ନ ହେବ। ଏହି ଯାତ୍ରାକୁ ମାଧବାନନ୍ଦ ବିକାଶ ପରିଷଦ ପକ୍ଷରୁ ପରିଚାଳନା କରାଯାଉଛି।