ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଯେଉଁ ମାନେ ମାସକ ଯାକ କାର୍ତ୍ତିକ ବ୍ରତ କରି ନଥାନ୍ତି ସେହିମାନେ ଏହି ପଞ୍ଚୁକ ପାଞ୍ଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ପଞ୍ଚୁକ ପାଞ୍ଚ ଦିନରେ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍ ଆଜି ବଡ଼ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ।
ପଞ୍ଚୁକ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ବେଶ ଅନୁଷ୍ଠିତ ହୋଇଛି । ଆଜି ପ୍ରଥମ ଦିନରେ ହରି ଉତ୍ଥାପନ ଏକାଦଶୀ ପାଇଁ ନୀତି କରାଯିବା ସହ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଅବକାଶ ନୀତି ପରେ ପାଟବସ୍ତ୍ର, ସ୍ୱର୍ଣ୍ଣ ଅଳଙ୍କାର ଓ ପୁଷ୍ପମାଲ୍ୟ ପରିଧାନ କରି ଶ୍ରଦ୍ଧାଳୁଙ୍କୁ ଶ୍ରୀଜିଉ ଦର୍ଶନ ଦେବେ। ସେହିପରି ଦ୍ୱାଦଶୀରେ ବାଙ୍କଚୁଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଓ ପୂର୍ଣ୍ଣିମୀରେ ରାଜରାଜେଶ୍ୱରୀ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ପଞ୍ଚୁକ ପାଞ୍ଚ ଦିନ ଭିଡ଼ ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏଁ ବ୍ୟାରିକେଟ ବଢାଯାଇଛି। ପଞ୍ଚକ ବ୍ରତଧାରୀଙ୍କୁ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ପଞ୍ଚୁକ ୫ ଦିନ ଧରି ଶ୍ରୀକ୍ଷେତ୍ରରେ ଜମିବ ଭିଡ଼।
ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବା ବେଳେ ଶ୍ରୀମନ୍ଦିର ଠାରୁ ମର୍ଚିକୋଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଭକ୍ତଙ୍କ ମୌଳିକ ସୁବିଧା, ଅସ୍ଥାୟୀ ଟଏଲେଟ ସହ ପ୍ରାୟ ୫୦ଜଣ ସ୍ଵେଛାସେବୀଙ୍କୁ ଜଳ ବଣ୍ଟନ ପାଇଁ ମୁତୟନ କରାଯିବ। ଏହାସହ ସମସ୍ତ ପଞ୍ଚ ପୁଷ୍କରିଣୀ ଓ ମହୋଦଧିରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ ମୁତୟନ ରହିବେ। ମେଡିକାଲ ଟିମ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।