ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଡିସେମ୍ବର ୧ ତାରିଖରୁ କୋଣାର୍କ ମହୋତ୍ସବ ଆରମ୍ଭ ହେବ। ୫ ଦିନ ବ୍ୟାପୀ ଆୟୋଜିତ ହେବ ୩୪ ତମ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ହେବାକୁ ଥିବା ତ୍ରୟୋଦଶ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଏଥିପାଇଁ ଆଜି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ କୋଣାର୍କ ଯାତ୍ରୀ ନିବାସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପାଞ୍ଚ ଦିନ ବ୍ୟାପୀ ମୁକ୍ତାକାଶ ରଙ୍ଗ ମଞ୍ଚରେ ଓଡିଶୀ ସହ କଥକ, ଶତ୍ରିୟ, ମୋହିନୀ ଆଟମ, ଭାରତନାଟ୍ୟମ, କୁଚିପୁଡି ନୃତ୍ୟ ପରିବେଷଣ କରାଯିବ। ଏହାସହ ଚନ୍ଦ୍ରଭାଗାରେ ଆୟୋଜିତ ତ୍ରୟୋଦଶ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ୬ ଜଣ ବିଦେଶୀ ଓ ଦେଶର ୧୦ଟି ରାଜ୍ୟର ବାଲୁକା ଶିଳ୍ପୀଙ୍କ ସମେତ ୧୦୦ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିବେ। ୩୫ ଟି ଷ୍ଟଲରେ ସେମାନଙ୍କ ବାଲୁକା କଳା ପ୍ରଦର୍ଶିତ କରାଯିବ।
ବୈଠକରେ ପୋଲିସ, ଟ୍ରାଫିକ, ଆଲୋକିକରଣ, ପରିମଳ ଓ ପାନୀୟ ଜଳ ବ୍ୟବସ୍ଥା ସହ ସ୍ବାସ୍ଥ୍ୟ ସେବା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏଥିରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବଙ୍କ ସମେତ ଆନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି ଓ ବିଶିଷ୍ଠ ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ସହ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।