ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିଦ୍ୟାଳୟରେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ। ବସଉଠ୍ ବେଳେ ଚାଲିଗଲା ଜୀବନ। ଯାଜପୁର ବାହାଦଲାପୁର ଓରାଳି ଗାଁର ସୂର୍ଯ୍ୟନାରାୟଣ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମୃତ ଛାତ୍ର ହେଉଛନ୍ତି ନିତ୍ୟାନନ୍ଦ ସେଠୀଙ୍କ ପୁଅ ରୁଦ୍ର ନାରାୟଣ ସୂଚନା ମୁତାବକ, ଗତକାଲି ଅପରାହ୍ନ ୩ଟା ବେଳେ ରୁଦ୍ର ଓ ତାର କିଛି ସାଙ୍ଗ ସ୍କୁଲ ଛାତରେ ଖେଳୁଥିଲେ। ଏହା ଦେଖି ଶିକ୍ଷକ ତାଙ୍କୁ ତାଗିଦ୍ କରିବା ସହ ପାଖକୁ ଡାକି ପାଠ ପଚାରିଥିଲେ। ପିଲାମାନେ କହିନପାରିବାରୁ ସମସ୍ତଙ୍କୁ ବସଉଠ୍ କରାଇଥିଲେ। ଏହି ସମୟରେ ରୁଦ୍ର ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହା ପରେ ଶିକ୍ଷକ ଅଭିଭାବକଙ୍କୁ ସୂଚନା ଦେଇଥିଲେ। ତାଙ୍କୁ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତେବେ ମୃତ ଛାତ୍ରର ଅଭିଭାବକ ଶିକ୍ଷକ ବସଉଠ ଦଣ୍ଡ ଦେବାରୁ ପିଲାର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ଆଣିଛନ୍ତି।