ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ବିଶ୍ୱ ଟଏଲେଟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରର ଏକ ହୋଟେଲରେ ସିଏଫ୍ଏଆର ଓ ବିଏମ୍ସିର ମିଳିତ ସହଯୋଗରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦିନ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଭକ୍ତକବି ଦାସ, ସିଏଫ୍ଏଆର , କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅଖିଳା ଶିବଦାସ, ରାଜ୍ୟ
ନଗର ଉନ୍ନୟନ ନିର୍ଦେଶକ ଶ୍ରୀ ଶାରଦା ପ୍ରସାଦ ପଣ୍ଡା, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ସିଏଫ୍ଓଆର ନିର୍ଦ୍ଦେଶକ ଅଖିଳ ଶ୍ରୀବାସ୍ତବ, ଟିଡବ୍ଲ୍ୟୁଟିର ପ୍ରତିଷ୍ଠାତା ମେଘନା ସାହୁ ପ୍ରମୁଖ ଯୋଗଦେଇଥିଲେ।
ଭୁବନେଶ୍ୱରକୁ ସଂପୂର୍ଣ୍ଣ ବାହ୍ୟ ମଳମୁକ୍ତ ସହର ଭାବେ ସମଗ୍ର ଦେଶରେ ପରିଚିତ କରାଇବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ତାହା ଏବେ ମଧ୍ୟ ଜାରି ରହିଛି। ତେବେ ଆଜି ବିଶ୍ୱ ଟଏଲେଟ ଦିବସ ଅବସରରେ ସମସ୍ତେ ପାଇଖାନାର ବ୍ୟବହାର ସଂପର୍କରେ ଅବଗତ ହେବା ସହ ଯେଉଁମାନେ ପାଇଖାନା ବ୍ୟବହାର କରୁ ନହାଁନ୍ତି, ସେମାନଙ୍କୁ ସଚେତନ କରାଇବାକୁ ଅନୁରୋଧ କରିଛନ୍ତି ମାନନୀୟା ମେୟର। ଶୌଚାଳୟ ଯିବା ନିଶ୍ଚିତ ଏବଂ ଏହା ଏକ ପ୍ରାକୃତିକ ପ୍ରକ୍ରିୟା। ତେଣୁ, ସମସ୍ତେ ଶୌଚାଳୟ ବ୍ୟବହାର କରନ୍ତୁ। ବାହାରେ ମଳତ୍ୟାଗ କରନ୍ତୁ ନାହିଁ। ଶୌଚାଳୟ ବ୍ୟବହାର କରିବା ପରେ ତାହାକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଚପଲ ପିନ୍ଧି ଶୌଚାଳୟକୁ ଯିବା, ଜଳ ସଂରକ୍ଷଣ କରିବା, ଶୌଚାଳୟରୁ ଆସିବା ପରେ ହାତକୁ ଭଲ ଭାବେ ସାବୁନରେ ସଫା କରିବା ଆଦି ନିୟମଗୁଡିକୁ ନିଜେ ମାନିବା ସହ ପରିବାର ଛୋଟ ଛୋଟ ପିଲାମାନଙ୍କୁ ଅଭ୍ୟସ୍ତ କରାଇବାକୁ ପରାମର୍ଶ ଦେଇଛନ୍ତି ମାନନୀୟା ମେୟର।
ତେବେ ଏଥିପାଇଁ ଟ୍ରାନ୍ସଜେଣ୍ଡରମାନେ ଖାସ୍ କରି ମେଘନାଙ୍କ ନେତୃତ୍ୱରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବାରୁ ତାଙ୍କୁ ବଧେଇ ଜଣାଇଥିଲେ। ଶୌଚାଳୟ ବ୍ୟବହାର କରିବା ସହ ସହରକୁ ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ମଧ୍ୟ ମାନନୀୟା ମେୟର ଆହ୍ୱାନ ଦେଇଛନ୍ତି। ନାଗରିକମାନଙ୍କ ସହଯୋଗ ଓ ସହଭାଗିତାରୁ ଆଜି ଆମ ଭୁବନେଶ୍ୱର ପୂର୍ବାଞ୍ଚଳରେ ପ୍ରଥମସ୍ଥାନ ଅଧିକାର କରିପାରିଛି। ମାନ୍ୟବର ମୁଖମନ୍ତ୍ରୀ ମହାନଗରାଂଚଳରେ ଥିବା ସମସ୍ତ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରିଛନ୍ତି। ତେଣୁ ସମସ୍ତେ ନିଜ ଘରକୁ ଯେପରି ପରିଷ୍କାର ରଖୁଛ, ସେହିପରି ଭୁବନେଶ୍ୱରକୁ
ପରିଷ୍କାର ରଖିବା ପାଇଁ ନିବେଦନ କରିଛନ୍ତି। ଖାସ କରି ମାଆମାନେ ଚାହିଁଲେ, ଭୁବନେଶ୍ୱର କେବଳ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରଥମ ସ୍ୱଚ୍ଛ ସହର ଭାବେ ନିଜକୁ ପ୍ରତିପାଦିତ କରିପାରିବ ବୋଲି କହିଛନ୍ତି । ଏହି ଅବସରରେ ପରିମଳ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ମାନନୀୟା ମେୟର। ଏହି କାର୍ଯ୍ୟକ୍ରମରେ ସିଏଫ୍ଏଆରର ବରିଷ୍ଠ କର୍ମକର୍ତ୍ତା, ବହୁ ଏସଏଚ୍ଜି, ଟ୍ରାନ୍ସ ଜେଣ୍ଡର ସଂଘର
କର୍ମକର୍ତ୍ତା ଓ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।