ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସାହାରା ଗ୍ରୁପ୍ ଅଧ୍ୟକ୍ଷ ସୁବ୍ରତ ରାୟଙ୍କ ପରଲୋକ ହୋଇଛି। ଗତକାଲି ରାତିରେ ହୃଦଘାତ ଯୋଗୁଁ ମୁମ୍ବାଇରେ ସୁବ୍ରତ ରାୟଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ସୁବ୍ରତ ରାୟ ସାହାରା ଇଣ୍ଡିଆର ପ୍ରତିଷ୍ଠାତା ଥିଲେ। ୨୦୦୨ରେ ବିଜିନେସମ୍ୟାନ୍ ଅଫ୍ ଦି ଇୟର ପୁରସ୍କାର ପାଇଥିଲେ। ୨୦୦୨ ମସିହାରେ ଶ୍ରେଷ୍ଠ ଶିଳ୍ପପତି ପୁରସ୍କାର, ୨୦୧୦ରେ ବିଶିଷ୍ଟ ରାଷ୍ଟ୍ରୀୟ ଉଡାନ ସମ୍ମାନ, ରୋଟାରୀ ଇଣ୍ଟରନ୍ୟାସନାଲ ପକ୍ଷରୁ ଧନ୍ଦାମୂଳକ ଉତ୍କର୍ଷ ପୁରସ୍କାର, କର୍ମବୀର ସମ୍ମାନ, ଉଦ୍ୟମ ଶ୍ରୀ, ବାବା-ଇ-ରୋଜଗାର ପୁରସ୍କାର ଏବଂ ୨୦୦୧ରେ ଜାତୀୟ ନାଗରିକ ପୁରସ୍କାର ପାଇଥିଲେ ସୁବ୍ରତ ରାୟ।
୨୦୧୨ରେ ସୁବ୍ରତ ରାୟ ଭାରତର ଶ୍ରେଷ୍ଠ ୧୦ ପ୍ରଭାବଶାଳୀ ବ୍ୟବସାୟୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଭାରତୀୟ ବ୍ୟବସାୟ କ୍ଷେତ୍ରରେ ସୁବ୍ରତ ରାୟ ଜଣେ ଜଣାଶୁଣା ବ୍ୟକ୍ତିତ୍ବର ଅଧିକାରୀ ଥିଲେ। ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିବା ସୁବ୍ରତ ରାୟଙ୍କ ନେତୃତ୍ବରେ ସାହାରା ଗ୍ରୁପ୍ ଅର୍ଥ, ରିଅଲ ଇଷ୍ଟେଟ୍, ମିଡିଆ କ୍ଷେତ୍ରରେ ଦବଦବା ଜାହିର କରିଥିଲା। ସୁବ୍ରତ ରାୟ ନିବେଶକଙ୍କ ଅର୍ଥ ଫେରସ୍ତ ମାମଲାରେ ବିବାଦରେ ଥିଲେ। ଏପରିକି ଏହି ମାମଲାରେ ସୁବ୍ରତ ରାୟଙ୍କ ଜେଲ୍ ଯିବାକୁ ପଡ଼ିଥିଲା ।