ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜିଠୁ ଆଣ୍ଡାମାନ ସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ। ଆସନ୍ତାକାଲି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୁତ ହେବା ନେଇ ପାଗ ଅନୁକୁଳ ରହିଛି। ଏହା ପ୍ରଭାବରେ ୧୫ ତାରିଖରୁ ଭିଜିବ ଓଡ଼ିଶା।
ଦକ୍ଷିଣ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡା, କଟକ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାରେ ବର୍ଷା ହେବ। ୧୬ ତାରିଖରେ ବଢିବ ବର୍ଷାର ପରିମାଣ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୧୦ଟି ଜିଲ୍ଲାରେ ବର୍ଷା ହେବ। ୧୭ ଏବଂ ୧୮ ତାରିଖରେ ସାରା ଓଡ଼ିଶାରେ ମେଘୁଆ ପାଗ ରହିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଚାଷୀଙ୍କୁ ସତର୍କ କରିଛି ପାଣିପାଗ କେନ୍ଦ୍ର। ଅମଳ ଯୋଗ୍ୟ ହୋଇଥିବା ଧାନକୁ ଚାଷୀମାନେ ଯଥା ସମ୍ଭବ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ପରେ ଓଡ଼ିଶାକୁ ପ୍ରବେଶ କରିବ ପୂର୍ବାଳି ଗରମ ଶୁଷ୍କ ପବନ। ଫଳରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଏବେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ। ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ। କିନ୍ତୁ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ନ ଥିବାରୁ ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟଙ୍କ ସିଧାସଳଖ ପ୍ରଖର କିରଣ ପାଇଁ ଦିନରେ ଗରମ ବା ତାତି ଅନୁଭୁତ ହେଉଛି।