ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜଧାନୀରେ ମଧ୍ୟ ବାଣ ଫୁଟାଇବା ସମୟରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ବରମୁଣ୍ଡା, ସାମନ୍ତରାପୁର, ଟଙ୍କପାଣି ରୋଡ୍ , ବାଲିପାଟଣା, ଯଦୁପୁରରେ ବାଣ ଫୁଟି ଅନେକ ଆହତ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ୧୦୦ରୁ ଅଧିକ ଆହତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସମସ୍ତଙ୍କୁ କାଜୁଆଲଟିରେ ଚିକିତ୍ସା କରାଯାଉଛି। କାହାର ଅବସ୍ଥା ଗୁରୁତର ନଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲ ତରଫରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।
ଭଦ୍ରକରେ ବାଣ ବିସ୍ଫୋରଣରେ ୫ ଶିଶୁ ଗୁରୁତର। ବିଭିନ୍ନ ସ୍ଥାନରେ ବାଣ ଫୁଟାଇବା ସମୟରେ ଅଘଟଣ ଘଟି ୫ ଜଣ ପିଲା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଜିଲ୍ଲାର ସୁଗୋ, ଯାହାଙ୍ଗୀର, କେଦାରପୁର, ସରମରା ଅଂଚଳରେ ଅଘଟଣ ଘଟିଛି। ଟାଉନ ଥାନା ଚରମ୍ପା ଗୁଣ୍ଠୁଣିଆ ବଜାରରେ ବାଣ ବିସ୍ପୋରଣରେ ଜଣେ ଗୁରୁତର ହୋଇଛନ୍ତି। ଶଶିକାନ୍ତ ନାୟକଙ୍କ ଡାହାଣ ହାତର ଗୋଟିଏ ଆଙ୍ଗୁଠି ଉଡ଼ିଯାଇଥିବା ସୂଚନା ମିଳିଛି।
ସେପଟେ ଢେଙ୍କାନାଳ ସଦର ବ୍ଲକ ଠେଙ୍ଗିଆ ସାହିରେ ବାଣ ପଡ଼ି ଜଳିଗଲା ଘର। ପ୍ରଥମେ ବାଣ ପଡ଼ି ଏକ ଚାଳ ଘରେ ନିଆଁ ଲାଗି ଆଉ ଏକ ଘରକୁ ନିଆଁ ବ୍ୟାପିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛି।
ସୋରର ବିଭିନ୍ନ ସ୍ଥାନରୁ ବାଣ ଫୁଟାଇ ୧୦ରୁ ଉର୍ଦ୍ଧ୍ବ ଗୁରୁତର। ଆହତ ସୋର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଟେଣ୍ଟେଇ ଗାଁରେ ବାଣ ନିଆଁରେ ଚାରି ବଖରା ଘର ଜଳି ଯାଇଛି। ଦୀପାବଳି ଅବସରରେ ସନ୍ଧ୍ୟାରେ ବ୍ଲକରେ ବିଭିନ୍ନ ଗ୍ରାମରେ ବାଣ ଫୁଟାଇଥିଲେ ଲୋକେ। ବାଣ ନିଆଁରେ ଜଣେ ଶିଶୁ ସମେତ ଦଶରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।