ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୁରୀରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଆଜି ସକାଳୁ ପୁରୀ ଆସି ପ୍ରଥମେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ଦ୍ୱାରରେ ଲାଗିବାକୁ ଥିବା ନାମଫଳକ ଓ ଭିନ୍ନ ଭିନ୍ନ ରଙ୍ଗର ସାଇନେଜ ବ୍ୟବସ୍ଥା ସମ୍ପର୍କରେ 5T ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ।
ଶ୍ରୀମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ ନେଇ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ସ୍ବତନ୍ତ୍ର ଆଲୋକୀକରଣ ନେଇ ନିଆଯାଇଥିବା ପଦକ୍ଷେପ ଉପରେ ମଧ୍ୟ ପାଣ୍ଡିଆନ ଅବଗତ ହୋଇଥିଲେ। ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ କରିଥିଲେ 5T ଅଧ୍ୟକ୍ଷ। ବୈଠକରେ ପ୍ରକଳ୍ପ କାର୍ଯ୍ୟ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।
ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କ ସମେତ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଦିନକୁ ଦିନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଶ୍ରୀମନ୍ଦିରରେ ବଢୁଥିବା ବେଳେ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ କିପରି ହୋଇପାରିବ ତାହା ଉପରେ ମ୍ୟାତନ୍ତ୍ର ମ୍ୟାପ ପ୍ରସ୍ତୁତ କରାଯାଇ ପଦକ୍ଷେପ ନେବାକୁ 5T ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ବୈଠକ ଶେଷ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ 5T ଅଧ୍ୟକ୍ଷ।