ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭିନ୍ନକ୍ଷମତା ଅଭିଶାପ ନୁହେଁ, କେତେବେଳେ ବି କାହା ଜୀବନରେ ଏହା ଆସିପାରେ। କେହି ଆଜନ୍ମ ଭିନ୍ନକ୍ଷମ ତ କେହି ଦୁର୍ଘଟଣା ଯୋଗୁଁ ହରେଇବସେ ନିଜର କ୍ଷମତା ଅବା କାରଣ ସାଜିପାରେ ବାର୍ଦ୍ଧକ୍ୟତା। ହେଲେ ଉପଯୁକ୍ତ ଶିକ୍ଷା ଓ ଚିକିତ୍ସା ବଳରେ ଅକ୍ଷମ ବି ହୋଇପାରିବେ ସକ୍ଷମ। ସେଥିପାଇଁ ବ୍ୟବସ୍ଥିତ ପ୍ରୟାସ ଓ ଉଦଯୋଗର ଆବଶ୍ୟକତା ରହିଛି।
ଏନେଇ ସୁନ୍ଦରଗଡ଼ ଜିଲ୍ଲା ସାଜିଛି ଅନ୍ୟଙ୍କ ପାଇଁ ଆଦର୍ଶ। ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ବ୍ଲକ ସ୍ତରରେ ସମନ୍ବିତ ଫିଜିଓଥେରାପି କେନ୍ଦ୍ର-ଥେରାପିୟୁଟିକ କେନ୍ଦ୍ର ଖୋଲାଯାଇଛି। ଏହା ଲୋକମାନଙ୍କୁ ଆବଶ୍ୟକ ପରାମର୍ଶ ଏବଂ ସେବା ଯୋଗାଇବେ ସହ ସେମାନଙ୍କୁ ପୁନଃ ସକ୍ଷମ କରିବା ଦିଗରେ ଏକ ବିରାଟ ଭୂମିକା ଗ୍ରହଣ କରୁଛି।
ଏହିଭଳି ମୋଟ ୨୦ଟି ଫିଜିଓଥେରାପି କେନ୍ଦ୍ର ସୁନ୍ଦରଗଡ଼ ଓ ରାଉରକେଲା ଡିଭିଜନ ବ୍ଲକ ସ୍ତରରେ ଖୋଲାଯାଇଛି।
ଏହି ଫିଜିଓଥେରାପି କେନ୍ଦ୍ର ସବୁକୁ ସହାୟତା ଦେବା ପାଇଁ ଜିଲ୍ଲା ଟିମ୍ ଏବଂ ପରିଚାଳନା ଟିମ୍ ଅଛନ୍ତି। ଜିଲ୍ଲା ଟିମରେ ଜଣେ ବରିଷ୍ଠ ଫିଜିଓ ଥେରାପିଷ୍ଟ, ଜଣେ ଅକୁପେସନାଲ ଥେରାପିଷ୍ଟ,ଜଣେ ସ୍ପିଚ୍ ଥେରାପିଷ୍ଟ, ଏବଂ ଜଣେ ମନସ୍ତତ୍ତ୍ୱବିତ ଅଛନ୍ତି। ଯେଉଁମାନେ ମାସକୁ ଦୁଇଥର ଏହି କୋଡିଏଟି କେନ୍ଦ୍ରକୁ ଭ୍ରମଣରେ ଯାଇ ସେବା ନେଉଥିବା ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଅନ୍ତି।