ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଦିଲ୍ଲୀରେ ୪ ଦିନ ଧରି ୪ ଶହ ତଳକୁ ଖସୁନି ଏୟାର କ୍ୱାଲିଟି ଇଣ୍ଡେକ୍ସ। ଦିଲ୍ଲୀ-ଏନସିଆର ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ପଞ୍ଜାବ ସରକାରଙ୍କୁ ଭର୍ତ୍ସନା କରିବା ସହ ରାଜନୀତି ନକରି ପାଳ ଜାଳିବା ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିଆଣାରେ ନଡ଼ା ପୋଡ଼ିବା ଯୋଗୁ ଦିଲ୍ଲୀରେ ଅସ୍ୱାଭାବିକ ଭାବେ ପ୍ରଦୂଷଣ ବଢ଼ୁଥିବା କୋର୍ଟ କହିଛନ୍ତି ।
ପ୍ରଦୂଷଣ ରୋକିବାକୁ ହେଲେ ନଡ଼ା ପୋଡ଼ା ଉପରେ ରୋକ ଲଗାଇବାକୁ ପଡ଼ିବ। ପ୍ରତି ବର୍ଷ ଶୀତ ଆସିଲେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ତେଣୁ ଫସଲର ଅବଶିଷ୍ଟାଂଶ ପୋଡ଼ିକୁ ରୋକିବାକୁ ପଞ୍ଜାବ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ବର୍ଷ ଦିଲ୍ଲୀରେ ପ୍ରଦୂଷଣ ହେଉଛି। ପ୍ରତିବର୍ଷ ଏପରି ଅବସ୍ଥାକୁ ଭୋଗିବାକୁ ଦିଲ୍ଲୀ ବାଧ୍ୟ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।
ତେବେ ଏହା କେମିତି ରୋକା ଯାଇ ପାରିବ ସେନେଇ ପଦକ୍ଷେପ ନେବାକୁ କହିଛନ୍ତି କୋର୍ଟ। ଆସନ୍ତା ଶୁକ୍ରବାର ଦିନ ମାମଲାର ପରବର୍ତ୍ତି ଶୁଣାଣି ହେବ। ଗାଡ଼ିରୁ ବାହାରୁଥିବା ଧୂଆଁ ମଧ୍ୟ ଦିଲ୍ଲୀ ପ୍ରଦୂଷଣର ଆଉ ଏକ ପ୍ରମୁଖ କାରଣ। ଗତ କିଛି ଦିନ ହେଲା ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଅତି ସାଂଘତିକ ସ୍ତରରେ ପହଞ୍ଚିଛି। ରାଜଧାନୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪ ଶହ ଉପରେ ରହୁଛି । ମୁକାବିଲା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି । ଆସନ୍ତା ୧୩ରୁ ଅଡ ଇଭେନ ଫର୍ମୁଲା ଲଗାଇବେ ଦିଲ୍ଲୀ ସରକାର । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ସବୁ କ୍ଲାସ ବନ୍ଦ କରିଦିଆଯାଇଛି ।