ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପରିବେଶ ସୁରକ୍ଷା ପାଇଁ ରାଜ୍ୟ ସରକାର ତତ୍ପର। ବିଦ୍ୟୁତ୍ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବୈଦ୍ୟୁତିକ ଯାନ-ଇଭି ପ୍ରଦର୍ଶନ ତଥା କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ମଡେଲର ଇଭି କାର୍, ଅଟୋ, ବାଇକ୍, ସ୍କୁଟି ଓ ସାଇକେଲ ପ୍ରଦର୍ଶିତ ହୋଇଥିଲା। ଇଭି ବ୍ୟବହାର ଦ୍ଵାରା ପରିବେଶ ସୁରକ୍ଷା ପାଇଁ ସଚେତନ କରାଯାଇଥିଲା। ବୈଦ୍ୟୁତିକ ଯାନ ସମ୍ପର୍କରେ ଲୋକଙ୍କ ମନରେ ଥିବା ଭୁଲ ଧାରଣାକୁ ଏହି ପ୍ରଦର୍ଶନୀରେ ଦୂର କରାଯାଇଥିଲା। ବୈଦ୍ୟୁତିକ ଯାନ ଚାର୍ଜ ହେବା ପାଇଁ ଦୀର୍ଘ ସମୟ ଲାଗେନାହିଁ। ଏଥିରେ ଆବଶ୍ୟକ ଅନୁସାରେ ଦ୍ରୁତ ଗତିରେ ଚଲାଇ ହେବ। ବାରମ୍ବାର ବ୍ୟାଟେରି ବଦଳାଇବାର ଆଦୌ ଆଶଙ୍କା ନାହିଁ। ଏହା ସହିତ ବହୁତ ଇଭି ଚାର୍ଜିଂ ଷ୍ଟେସନ ଖୋଲିବାରେ ଲାଗିଲାଣି। ସମଗ୍ର ବିଶ୍ଵରେ ପ୍ରଦୂଷଣକୁ କମାଇବା ଏବଂ ବିଦ୍ୟୁତ୍ ସଂଚୟ ପାଇଁ ଉଦ୍ୟମ ଚାଲିଛି। ସେହି କ୍ରମରେ ଓଡ଼ିଶା ସରକାର ମଧ୍ୟ ନିଜସ୍ଵ ଇଭି-ନୀତି ପ୍ରସ୍ତୁତ କରିବା ସହ ବୈଦ୍ୟୁତିକ ଯାନ କ୍ରୟକୁ ପ୍ରୋତ୍ସାହିତ କରୁଛନ୍ତି। ଏହା କିଣିବା ପାଇଁ ସୁଧ ହାରରେ ରିହାତି ସହ ୫ ହଜାରରୁ ୪ଲକ୍ଷ ଟଙ୍କା ଯାଏ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ରିହାତି ରାଶି ପାଇବା ପାଇଁ ସ୍ଵତନ୍ତ୍ର ପୋର୍ଟାଲ ମଧ୍ୟ ରହିଛି। http://odishatransport.gov.in ଲିଙ୍କ୍ ରେ ରିହାତି ପାଇଁ ଆବେଦନ କରିହେବ।