ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି କଳାହାଣ୍ଡିର ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀ ଦେଖିବେ ବିକାଶର ନୂଆ ସୂର୍ଯ୍ୟୋଦୟ। କଳାହାଣ୍ଡି ଯାଇ ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ। ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣାର ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ପହଞ୍ଚିବେ। ସେଠାରେ ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଛାତ୍ରଛାତ୍ରୀଙ୍କ ସହିତ ନବୀନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି। ୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ। ୧୦୦ ସିଟରେ ନାମଲେଖା ପାଇଁ NMC ଠାରୁ ଅନୁମତି ଦେଇଛି। ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି। ସେଠାରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆକୁ ଯିବେ ମୁଖ୍ୟମନ୍ତ୍ରୀ।
ସେଠାରେ କଳାହାଣ୍ଡି ଜିଲ୍ଲାରେ ଐତିହାସିକ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିବେ। ଏହାଛଡ଼ା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।