ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡ଼ିଶାର ପ୍ରଗତି ଦେଶର ପ୍ରଗତି। ମୋ ପାଇଁ ଓଡ଼ିଶାର ବିକାଶ ସର୍ବାଗ୍ରେ ରହିବ। ଓଡ଼ିଶାର ଗରିବୀ ହଟେଇବା ହିଁ ମୂଳ ଲକ୍ଷ୍ୟ ରହିବ। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ରାଜଭବନର ଦ୍ୱାର ଚବିଶ ଘଣ୍ଟା ଖୋଲା ରହିବ। ଶପଥ ଗ୍ରହଣ ପୂର୍ବରୁ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ଗଣମାଧ୍ୟମକୁ ସେ କହିଛନ୍ତି ଯେ ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଳ ମନ୍ତ୍ର ଦେଶ ସହ ରାଜ୍ୟକୁ ଆଗକୁ ନେବା ଲାଗି ପ୍ରୟାସ କରିବି। କେନ୍ଦ୍ର ସରକାରଙ୍କ ବିକାଶର ଯୋଜନା କିପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ ସେନେଇ ଗୁରୁତ୍ୱ ଦେବି। ନିଷ୍ପେଷିତଙ୍କ ସେବା ପାଇଁ ମୋତେ ମହାପ୍ରଭୁ ଏଠାକୁ ଆଣିଛନ୍ତି। ତେବେ ଧର୍ମ ପରମ୍ପରା ବଞ୍ଚି ରହିବା ଦ୍ୱାରା ଭାରତ ଖୁବ୍ଶୀଘ୍ର ବିଶ୍ୱଗୁରୁ ହୋଇପାରିବ ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି। ବିଶାଖପାଟଣା ମୃତାହାତଙ୍କ ପାଇଁ ଦୁଃଖପ୍ରକାଶ କରିବା ସହ ସେମାନଙ୍କ ପରିବାର ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କଥା ପ୍ରକାଶ କରିଛନ୍ତି ।