ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଓ ଗୋଆ ଗସ୍ତ କରିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ସହିତ ଶିଳାନ୍ୟାସ କରିବେ। ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ପହଞ୍ଚି ଶ୍ରୀସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହିତ ବାବାଙ୍କ ଆଶୀର୍ବାଦ ନେବେ। ମନ୍ଦିରରେ ନବନିର୍ମିତ ଧାଡି ଦର୍ଶନ ପରିସରକୁ ଉଦଘାଟନ କରିବେ। ଅପରାହ୍ନ ଦୁଇଟା ବେଳେ, ପ୍ରଧାନମନ୍ତ୍ରୀ ନୀଳୱାଣ୍ଡେ ଆନିକଟରେ ଜଳପୂଜନ କରିବା ସହ ବାମପାର୍ଶ୍ବର କେନାଲକୁ ଉଦଘାଟନ କରିବେ। ଅପରାହ୍ନ ୩ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଶିରିଡି ଠାରେ ଏକ ସାଧାରଣ ସଭାରେ ଯୋଗଦେବେ। ସେଠାରେ ବିଭିନ୍ନ ମନ୍ତ୍ରଣାଳୟର ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ଗୋଆ ପହଞ୍ଚି ୩୭ତମ ଜାତୀୟ କ୍ରୀଡାକୁ ଉଦଘାଟନ କରିବେ।