ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସରିଲା ଦଶହରା, ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମାଆ। ରାଜଧାନୀରେ ଭସାଣି ଉତ୍ସବ ପାଇଁ ପୂଜା ମଣ୍ଡପ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭସାଣି ବେଳେ ଯେଭଳି ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ। ସେପଟେ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି ।
ସବୁଠି ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜିତ ହେବେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ। ୧୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନଜର ରଖିବେ। ୧୨ ଜଣ ଅତିରିକ୍ତ ଡିସିପି, ୨୮ ଜଣ ACP, ୪୨ ଜଣ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ।
ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ତିନିଟି ଭସାଣି କମିଟି ଦ୍ୱାରା ଶୋଭାଯାତ୍ରା କରାଯିବ। ସହିଦନଗର ଭସାଣି କମିଟିକୁ ଆସୁଥିବା ମେଢ଼ ଗୁଡିକ ବାଣୀବିହାର ଛକରୁ ଶୋଭାଯାତ୍ରାରେ ବାହାରି ରୂପାଲି ଛକ ଦେଇ ରାଜମହଲ ପର୍ଯ୍ୟନ୍ତ ଆସିବେ। ନୟାପଲ୍ଲୀ ଭସାଣି କମିଟି ମେଢ଼ ଗୁଡିକ CRP ଛକ ଦେଇ ୟୁନିଟ-୮ ଦେଇ ୬ ନମ୍ବର ପର୍ଯ୍ୟନ୍ତ ଆସିବେ।
ସେହିପରି ଚନ୍ଦ୍ରଶେଖରପୁର ଭସାଣି କମିଟି ମେଢ଼ ଗୁଡିକ କଳିଙ୍ଗ ହସ୍ପିଟାଲ ଛକ ଦେଇ ନଦୀ ପଠାକୁ ଯିବେ। ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ଉପରେ ଅଧିକ ଫୋକସ ଦେଇଛି କମିଶନରେଟ ପୋଲିସ। ଏଥର ଶୋଭାଯାତ୍ରାରେ ଡିଜେ ବ୍ୟବହାର ହେବନାହିଁ।
ସେପଟେ ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି। ନଦୀର ଉଭୟ ପାର୍ଶ୍ୱରେ ଅସ୍ଥାୟୀ ପୋଖରୀ ରହିଥିବା ବେଳେ ନଦୀ ଭିତରକୁ ଯିବା ଉପରେ କଟକଣା କରାଯାଇଛି। ଅସ୍ଥାୟୀ ପୋଖରୀ ଗୁଡ଼ିକ ନିକଟରେ ପୋଲିସ ମୁତୟନ ହେବାକୁ ଥିବାବେଳେ, ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବୋଟ ଧରି ଉପସ୍ଥିତ ରହିବେ। ଭସାଣି ଶୋଭାଯାତ୍ରା ବେଳେ ଗୋଟିଏ ପଟ ରାସ୍ତାକୁ ସମ୍ପୂର୍ଣ୍ଣ ସିଲ କରାଯିବ। ଅପରାହ୍ନ ୩ଟାରୁ ରାତି ୧ଟା ପର୍ଯ୍ୟନ୍ତ ସହର ଭିତରେ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।