ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେଉଛି। ୨୧ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୩ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
୨୪ ତାରିଖରେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ ଏବଂ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୨୫ ତାରିଖରେ ବଢିବ ବର୍ଷାର ପରିମାଣ। ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।
ବିଶେଷ କରି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନ ଘଣ୍ଟାପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଅବପାତଟି ପ୍ରଥମେ ଆନ୍ଧ୍ର ମୁହାଁ ହୋଇ ଦିଗ ପରିବର୍ତ୍ତନ କରି ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ। ତେବେ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ଚିତ୍ର ଆସିବ ବୋଲି ପାଣିପାଗ ବିଭାଗ କହିଛି।