ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଘରେ ରାଜନୈତିକ ଝଡ଼। ଦୁଇ ପୁଅ ଫୁଲ ଦମରେ ମୈଦାନକୁ ଓହ୍ଲାଇ ନାହାନ୍ତି, ହେଲେ ଉଭୟଙ୍କ ମଧ୍ୟରେ ଦେଖା ଦେଇଛି ଫାଟ। ଦୁଇ ପୁଅଙ୍କ ମଧ୍ୟରେ କଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ବଡ଼ଭାଇ ସିଦ୍ଧାର୍ଥ ରାଉତରାୟଙ୍କ ବିକାଶ ବିରୋଧୀ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ସାନଭାଇ ମନ୍ମଥ ରାଉତରାୟ।
ମନ୍ମଥ କହିଛନ୍ତି, ‘କୌଣସି ତଥ୍ୟ ନଥାଇ କିଛି ନଜାଣି କେବଳ ଖବରରେ ରହିବା ପାଇଁ ବିକାଶ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ବିରୋଧୀ। ଭଲ କାମକୁ ଭଲ କହିବା ବଦଳରେ ରାଜ୍ୟର ଦ୍ରୁତ ବିକାଶକୁ ବିରୋଧୀ ସହି ପାରୁନାହାନ୍ତି।
ଅନ୍ୟକୁ ସମାଲୋଚନା କରି ରାଜନୀତି କରିବା ନୀତିକୁ ଆଉ ଓଡ଼ିଶାବାସୀ ଗ୍ରହଣ କରୁନାହାନ୍ତି। ଏଭଳି ପ୍ରସଙ୍ଗ ଆଉ ଆଗାମୀ ଦିନରେ କାମ କରିବନି ବୋଲି ବଡ଼ଭାଇ ସିଦ୍ଧାର୍ଥଙ୍କୁ ଚେତାଇ ଦେଇଛନ୍ତି ମନ୍ମଥ। ଏକମାସ ମଧ୍ୟରେ ନିଜ ରାଜନୈତିକ ଭବିଷ୍ୟତ ନେଇ ଓଡ଼ିଶାବାସୀଙ୍କ ନିକଟରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ମନ୍ମଥ।
ଅନ୍ୟପଟେ ସୁରେଶ ରାଉତରାୟ କହିଛନ୍ତି, ‘୨୦୨୪ ନିର୍ବାଚନରେ ଦୁଇ ପୁଅ ବିଧାୟକ ପ୍ରାର୍ଥୀ ହେବେ। ସାନପୁଅ ମନ୍ମଥ ଜଟଣୀରୁ ଓ ବଡ଼ପୁଅ ସିଦ୍ଧାର୍ଥ ନିମାପଡ଼ାରୁ ନିର୍ବାଚନ ଲଢ଼ିବେ ବୋଲି ସୁର ସଙ୍କେତ ଦେଇଛନ୍ତି।’