ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୁଣି ଲୋକସେବା ଭବନରେ ଅଗ୍ନିକାଣ୍ଡ। ସଚିବାଳୟ ଏସସିଏସଟି ବିଭାଗରେ ନିଆଁ ଲାଗିଛି। ଅଗ୍ନିଶମ ବିଭାଗ ଦ୍ବାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଏସସିଏସଟି ବିଭାଗ ଛାତ ଉପରେ ଏସି କମ୍ପ୍ରେସରରେ ନିଆଁ ଲାଗିଛି। ଖବର ପାଇ କଳ୍ପନା ଅଗ୍ନିଶମ ଟିମ୍ ସେଠାରେ ପହଞ୍ଚିବାବେଳକୁ ନିଆଁ ଆୟତ୍ତ ହୋଇସାରିଥିଲା। ଅଗ୍ନିକାଣ୍ଡରେ ରାଜସ୍ୱ ଏବଂ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ଗୋଟିଏ ଏସି, କମ୍ପ୍ୟୁଟର ଓ ଦୁଇଟି ଚେୟାର ନଷ୍ଟ ହୋଇଛି। କିନ୍ତୁ କୌଣସି ସରକାରୀ ଦସ୍ତାବିଜ ବା କାଗଜପତ୍ର ନଷ୍ଟ ହୋଇନାହିଁ। ଏସି ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି।
ସୂଚନାଅନୁସାରେ, ବିଧାନସଭା ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ କଳ୍ପନା ଓ ବରମୁଣ୍ଡା ଅଗ୍ନିଶମ ଟିମ୍ ମଧ୍ୟ ସେଠାରେ ପହଞ୍ଚିବା ବେଳକୁ ନିଆଁ ଆୟତ୍ତ ହୋଇଥିଲା। ରାଜସ୍ୱ ଏବଂ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ଗୋଟେ ରୁମରେ ନିଆଁ ଲାଗିଥିଲା। 10ଟା 08 ମିନିଟ ସମୟରେ ଲୋକସେବା ଭବନ ୟୁନିଟକୁ ସୂଚନା ଦିଆଯିବା ପରେ ଟିମ ସେଠାରେ ପହଁଚିଥିଲା। ଲୋକସେବା ଭବନ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ପରବର୍ତ୍ତୀ ସମୟରେ ମଧ୍ୟ କଳ୍ପନା ଅଗ୍ନିଶମ ଟିମ ମଧ୍ୟ ପହଞ୍ଚିଥିଲା। କିନ୍ତୁ ସେତେବେଳେକୁ ଲୋକସଭା ଭବନ ଅଗ୍ନିଶମ ଟିମ୍ ନିଆଁକୁ ନିୟନ୍ତ୍ରଣ କରିସାରିଥିଲା ।