ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅନେକ ପ୍ରୟାସ ସତ୍ତ୍ୱେ ସଡ଼କ ଦୁର୍ଘଟଣା ମାମଲା ହ୍ରାସ ନହେବା ପରେ ଏନ୍ଏଚ୍ଏଆଇ ସଡ଼କ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ଏନଫୋର୍ସମେଣ୍ଟ ଆଡକୁ ବଢୁଛି। ଆଡଭାନ୍ସ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(ଏଟିଏମ୍ଏସ)କୁ ଅଧିକ ଅପଗ୍ରେଡ କରି ରାଷ୍ଟ୍ରୀୟ ରାଜମାର୍ଗ ଓ ଏକ୍ସପ୍ରେସ୍ ୱେରେ ନିୟମ ଉଲ୍ଲଂଘନ ରୋକିବା ପାଇଁ ନୂତନ ଭିଡିଓ ପ୍ରଣାଳୀ ଅପଣାଯିବ।
ଏହା ଅଧିନରେ ଭିଡିଓ ଇନସିଡେଣ୍ଟ ଡିଟେକ୍ସନ ସିଷ୍ଟମ୍ (ଭିଆଇଡିଏସ) କ୍ୟାମେରା ସ୍ଥାନରେ ଭିଡିଓ ଇନସିଡେଣ୍ଟ ଡିଟେକ୍ସନ୍ ଆଣ୍ଡ ଏନଫୋର୍ସମେଣ୍ଟ ସିଷ୍ଟମ (ଭିଆଇଡିଇଏସ) ଲଗାଯିବ। ଏହାର ଉଦ୍ଦେଶ୍ୟ ଦୁଇ ଚକିଆ ଯାନରେ ତିନି ଜଣଙ୍କ ଯାତ୍ରା ସହ ହେଲମେଟ୍ ଓ ସିଟ୍ ବେଲ୍ଟର ଉଲ୍ଲଂଘନକୁ କଡ଼ାକଡ଼ି ଭାବେ ରୋକିବା। ଏହି ପ୍ରଣାଳୀ ୧୪ ଭିନ୍ନ ଭିନ୍ନ ନିୟମ ଉଲ୍ଲଂଘନକୁ ଚିହ୍ନଟ କରିବାରେ ସମର୍ଥ ଅଟେ । ଏଥିରେ ଭୁଲ ଦିଗରେ ଡ୍ରାଇଭିଂ, ହାଇୱେରେ ପଶୁଙ୍କ ଉପସ୍ଥିତି ପଦଯାତ୍ରୀଙ୍କ ପାଇଁ କ୍ରସିଂରେ ଅତିକ୍ରମଣ ଆଦି ସାମିଲ ରହିଛି । କେବଳ ହେଲ୍ମେଟ ଓ ସିଟ୍ ବେଲ୍ଟ ନଲଗାଇବା କାରଣରୁ ପ୍ରତିବର୍ଷ ୫ରୁ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ । ସେହିପରି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ଦେଢ ଲକ୍ଷ।
ଏନ୍ଏଚ୍ଏଆଇ ଅନୁସାରେ ଭିଆଇଡିଇଏସ ପ୍ରଣାଳୀ ଜରିଆରେ ନିୟମ ଉଲ୍ଲଂଘନର ଯେଉଁ ସୂଚନା ମିଳିବ, ତାହା ଜରିଆରେ ରୁଟ୍ ପେଟ୍ରୋଲ ବାହାନ କିମ୍ୱା ଆମ୍ୱୁଲାନ୍ସକୁ ଆଲର୍ଟ କରାଯିବ ଓ ଏହାସହ ଇ-ଚାଲଣ ମଧ୍ୟ ଜେନେରେଟ୍ କରାଯିବ। ଏହି ପ୍ରଣାଳୀରେ ଅଧିକରୁ ଅଧିକ କ୍ଷେତ୍ରକୁ ସାମିଲ କରିବା ପାଇଁ ଏହି କ୍ୟାମେରାକୁ ହାଇୱେରେ ପ୍ରତି ୧୦ କିଲୋମିଟରରେ ଲଗାଯିବ। ଏହାସହ ପ୍ରତି ୧୦୦ କିଲୋମିଟର ବ୍ୟବଧାନରେ ଗୋଟିଏ ଷ୍ଟେଟ୍ ଅଫ୍ ଦି ଆର୍ଟ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ମଧ୍ୟ ରହିବ। ଏଠାରେ ସମସ୍ତ କ୍ୟାମେରାର ଫିଡକୁ ଏକା ସହ ବିଶ୍ଲେଷଣ କରାଯାଇ ପାରିବ।