ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାସ୍ତାକଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗିପାରିବେନି ଭିକାରୀ। ରାସ୍ତାରେ ଦେଖିଲେ ଉଠାଇନେବ ବିଏମସି ସ୍କ୍ୱାର୍ଡ। କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଭିକାରୀ ମାନଙ୍କୁ ଥଇଥାନ କେନ୍ଦ୍ରରେ ରଖିବା ସହ ରାସ୍ତା କିମ୍ବା ମନ୍ଦିର ଆଖପାଖରେ ଦେଖିଲେ ବିଏମସି ଉଠାଇନେବାକୁ ନିଷ୍ପତ୍ତ ହୋଇଛି ।
ରାଜଧାନୀର ୩ ଜୋନରେ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ବୁଲିବା ସହ ଭିକାରୀଙ୍କ ଉପରେ ନଜର ରଖିବ। ବିଏମସି ଅଧୀନରେ ଥିବା ୫ଟି ଭିକାରୀ ଥଇଥାନ କେନ୍ଦ୍ରରେ ଏମାନଙ୍କୁ ରଖିବାକୁ କହିଛି ବିଏମସି। ପୂଜା ପୂର୍ବରୁ ଦର୍ଶନାର୍ଥୀ ଯେପରି ଅସୁବିଧାର ସାମ୍ନା ନକରନ୍ତୁ ସେଥିପାଇଁ ଏହି ନିଷ୍ପତ୍ତି ନେଇଛି ବିଏମସି। ରଙ୍ଗ ବଜାର, ଅନ୍ଧାରୁଆ, ନିଳାଦ୍ରୀବିହାର, ପିଡବ୍ଲୁଡି କଲୋନୀ ଭଳି ଅଞ୍ଚଳରେ ଭିକାରି ଥଇଥାନ କେନ୍ଦ୍ର ରହିଛି। ପ୍ରତ୍ୟେକ କେନ୍ଦ୍ରରେ ଶହେ ଲେଖାଏଁ ଭିକାରୀ ରହିବା ବ୍ୟବସ୍ଥା ରହିଛି।