ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଛୁଟୁଛି ଜନ୍ମଦିନ ଶୁଭେଚ୍ଛାର ସୁଅ। କିନ୍ତୁ ନବୀନ ପାଳିବେ ନାହିଁ ଜନ୍ମଦିନ। ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ଏଥର ଜନ୍ମଦିନ ପାଳିବେ ନାହିଁ ବିଜେଡି ସୁପ୍ରିମୋ। ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରିଛନ୍ତି ନବୀନ।
ଓଡ଼ିଶାକୁ ନିରବଚ୍ଛିନ୍ନ ପ୍ରଗତି ପଥରେ ଆଗେଇ ନେବାକୁ ସର୍ବଦା ସଙ୍କଳ୍ପବଦ୍ଧ ନବୀନ ପଟ୍ଟନାୟକଙ୍କ ରାଜନୀତିରେ ପ୍ରବେଶ ଥିଲା ଆକସ୍ମିକ। ସେଥିପାଇଁ ତ ପ୍ରତ୍ୟକ୍ଷ ରାଜନୀତିରେ ନବୀନଙ୍କ ସ୍ଥାୟୀତ୍ୱ ନେଇ ପ୍ରକାଶ ପାଇଥିଲା ଅନେକ କଳ୍ପନାଜଳ୍ପନା। ଅନେକ ପ୍ରଶ୍ନ। କିନ୍ତୁ ସେସବୁ ଏବେ ଅତୀତ। ଇତିମଧ୍ୟରେ ଏହି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରାଜନୀତିରେ ୨୬ ବର୍ଷ ପୂରଣ କରିସାରିଛନ୍ତି। ଏହି ଅପରାଜୟ ରାଜନୈତିକ ଜୀବନରେ ଲୋକପ୍ରିୟତାର ଶୀର୍ଷରେ ରହିଆସିଛନ୍ତି ନବୀନ ପଟ୍ଟନାୟକ। ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ଓଡ଼ିଶାକୁ ଏକ ଆଧୁନିକ, ସମୃଦ୍ଧ ଓ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି ନବୀନ। ଆଜି ଦେଶ କହୁଛି ବିକାଶର ‘ନବୀନ’ ମଡେଲ କଥା।