ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆରମ୍ଭ ହେଲାଣି ନବରାତ୍ରି। ଚଳଚଞ୍ଚଳ ସାରା ସହର। ଆସନ୍ତୁ ଜାଣିବା ମା’ଙ୍କ ନବରୂପ, ନବବେଶ ଓ ପୂଜା ବିଧି …. ନବରାତ୍ର ପୂର୍ବ ଦିନ ଏକବାର ବ୍ରତ କରାଯାଏ। ସେଥିରେ ପିଠା, ଅନ୍ନ ଭଳି ସମ୍ପୂର୍ଣ୍ଣ ସାତ୍ତ୍ୱିକ ଖାଦ୍ୟ ଦିନକରେ ମାତ୍ର ଥରେ ଗ୍ରହଣ କରି ବ୍ରତଧାରୀ ପର ଦିନରୁ ବ୍ରତ କରିଥାନ୍ତି। ଏହା ଦ୍ୱାରା କାୟା ଶୁଦ୍ଧ ହୋଇଥାଏ ବୋଲି ମାନ୍ୟତା ରହିଛି। ନବରାତ୍ର ଆରମ୍ଭ ହେବା ପରେ ସେମାନେ ଫଳ ଆହାର କରିଥାନ୍ତି ଅଥବା କେତେ ଜଣ ସମ୍ପୂର୍ଣ୍ଣ ଉପବାସ କରନ୍ତି।
ନବରାତ୍ରି ଅର୍ଥାତ ନଅ ଦିନ ଧରି ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପର ପୂଜା କରାଯାଇଥାଏ। ପ୍ରଥମ ଦିନ ଶୈଳପୁତ୍ରୀ ରୂପରେ ପୂଜା ପାଆନ୍ତି। ଏହି ରୂପରେ ମା’ଙ୍କ ବାହାନ ଥାଆନ୍ତି ବୃଷଭ। ମା’ ଲାଲ ଓ ଗୋଲାପି ରଙ୍ଗର ବସ୍ତ୍ର ଧାରଣ କରିଥାନ୍ତି।

ଦ୍ୱିତୀୟ ଦିନ ବ୍ରହ୍ମଚାରିଣୀ ବେଶ। ବିନା ବାହାନ ସହ ସାଧାସିଧା ବସ୍ତ୍ର ଓ ଦୁଇ ହସ୍ତରେ ରୁଦ୍ରାକ୍ଷ ମାଳା , କମଣ୍ଡଳୁ ଧାରଣ କରନ୍ତି।

ତୃତୀୟ ଦିନ ଚନ୍ଦ୍ରଘଣ୍ଟା ରୂପରେ ଦେବୀ ଆବିର୍ଭୂତା। ବ୍ୟାଘ୍ର ଉପରେ ବସି ମା’ଦଶଭୂଜା ଗୋଟିଏ ହସ୍ତରେ ଆଶୀର୍ବାଦ ଦେବା ସହ ଅନ୍ୟ ନଅଟି ହସ୍ତରେ ତ୍ରିଶୁଳ, ଖଣ୍ଡା, ଧନୁ, ସର, ଗଦା, ଚକ୍ର, ଢାଲ, କମଣ୍ଡଳୁ, ପଦ୍ମ ଧରିଥାନ୍ତି।

ଚତୁର୍ଥ ଦିନ ମା’ କୁଷ୍ମାଣ୍ଡା। ଅଷ୍ଟଭୂଜାଧାରି ମା’ ଛ’ଟି ହସ୍ତରେ ଢାଲ, ପଦ୍ମ, ଧନୁ, ସର, କମଣ୍ଡଳୁ, ରୁଦ୍ରାକ୍ଷ ମାଳା ଏବଂ ଅନ୍ୟ ଦୁଇଟି ହସ୍ତରେ ପାଣିପାତ୍ର ଓ ମହୁ ପାତ୍ର। ଏହି ରୂପରେ ମା’ଙ୍କ ବାହାନ ସିଂହ।

ପଞ୍ଚମ ରୂପରେ ମା’ ସ୍କନ୍ଧମାତା ଚତୁର୍ଭୂଜାଧାରିଙ୍କ ବାହାନ ସିଂହ। ଦୁଇ ହସ୍ତରେ ପଦ୍ମ ଫୁଲ, ତୃତୀୟ ହସ୍ତରେ ଛ’ ଶୀର ଧାରଣକାରି କାର୍ତ୍ତିକେୟଙ୍କୁ ଧରିଥାନ୍ତି ଓ ଚତୁର୍ଥ ହସ୍ତରେ ଭକ୍ତଙ୍କ ଦୁଃଖ କରନ୍ତି ମା’।

ଷଷ୍ଠ ଦିନ ମା’ କାତ୍ୟାୟନୀ। ଏହି ରୂପରେ ସିଂହ ଉପରେ ଆରୂଢ ମା’ ପରିପୂର୍ଣ୍ଣ ଭାବେ ବସ୍ତ୍ର, ଅଳଙ୍କାର ଧାରଣ କରିଥାନ୍ତି। ମା’ଙ୍କ ବସ୍ତ୍ରର ରଙ୍ଗ ସବୁଜ ଓ ଗୋଲାପି ହୋଇଥାଏ। ମା’ ଚତୁର୍ଭୂଜା ଢାଲ, ଖଣ୍ଡା, ପଦ୍ମ, ତ୍ରିଶୁଳ ଧାରଣ କରିଥାନ୍ତି।

ସପ୍ତମ ଦିନ ମା’ କାଳରାତ୍ରି ବେଶ ଧାରଣ କରିଥାନ୍ତି। କାଳରାତ୍ରି ରୂପରେ ମା’ ରକ୍ତ ଜୁଡୁବୁଡୁ ଆଖି, ଅନାବୃତ କେଶ , ବେକରେ ପିନ୍ଧିଥାନ୍ତି ପୁଷ୍ପମାଲ୍ୟ। ଚାରି ହାତରେ ମା’ ଭାଜ୍ରା, ଖଣ୍ଡା, ଗୋଟେ ପାତ୍ର, ଏକ ଭିନ୍ନ ଧରଣର ଅସ୍ତ୍ର ଧାରଣ କରନ୍ତି।

ଅଷ୍ଟମ ଦିନ ମା’ଙ୍କର ମହାଗୌରୀ ବେଶ। ଏହି ବେଶେରେ ସେ ଧଳା ବଳଦ ଉପରେ ଆସୀନ। ମା’ ଚତୁର୍ଭୂଜା ଏହି ବେଶରେ ତ୍ରିଶୁଳ, ବାଦ୍ୟ ଯନ୍ତ୍ର ସହ କମଣ୍ଡଳୁ ଓ ଅନ୍ୟ ହାତରେ ଭକ୍ତମାନଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥାନ୍ତି।

ନବମ ଦିନ ମା’ ସିଦ୍ଧିଦାତ୍ରୀ ବେଶରେ ପୂଜା ପାଆନ୍ତି। ଏହି ଚତୁର୍ଭୂଜା ବେଶରେ ଶଙ୍ଖ, କମଣ୍ଡଳୁ, ଚକ୍ର, ଗଦା ଧରି ଏକ ପ୍ରସ୍ଫୁଟିତ ପଦ୍ମ ଉପରେ ବସିଥାନ୍ତି।

ଏହି ସବୁ ବେଶରେ ମା’ ଦଶଭୂଜା ପାର୍ବଣରେ ମର୍ତ୍ତ୍ୟମଣ୍ଡଳରେ ଆର୍ବିଭୂତ ହୋଇଥାନ୍ତି।