ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :
ଆପଣ ଜାଣନ୍ତି କି, ମହାଳୟା କାହାକୁ କୁହାଯାଏ ? ଏହା କେଉଁ ତିଥିରେ ପଡେ ଓ କାହିଁକି ପାଳନ ହୁଏ?
ସଂସ୍କୃତ ଭାଷାରେ ମହାଳୟାର ଅର୍ଥ ଶୁଭାରମ୍ଭ । ଏହି ତିଥି ଆଶ୍ୱିନ ମାସ କୃଷ୍ଣ ପକ୍ଷର ଶେଷ ଦିନ ଅର୍ଥାତ ଅମାବାସ୍ୟାକୁ ମହାଳୟା କୁହାଯାଏ । ସନାତନ ଧର୍ମରେ ଏହି ଦିନ ପିତୃ ପକ୍ଷ ଶେଷ ହୁଏ, ମାନ୍ୟତା ରହିଛି ଏହି ଦିନ ପିତୃପୁରୁଷ ମର୍ତ୍ତ୍ୟ କୁ ଆସିଥାନ୍ତି । କୌଣସି ବ୍ୟକ୍ତିଙ୍କ ପିଣ୍ଡ ଦାନ ନ ହୋଇଥିଲେ ବା କାହାର ନିର୍ଦ୍ଧିଷ୍ଟ ପୁଣ୍ୟତିଥି ଜଣାନଥିଲେ ଏହି ଦିନ ସେମାନଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଏ । ମହାଳୟାରେ ଶ୍ରାଦ୍ଧ, ପିଣ୍ଡ, ତର୍ପଣ ପିତୃପୁରୁଷଙ୍କୁ ଦାନ କରିବା ଦ୍ୱାରା ସେମାନେ ସନ୍ତୁଷ୍ଟ ହୋଇ ପରପିଢୀଙ୍କୁ ଆଶୀର୍ବାଦ କରିଥାନ୍ତି ।
ଏହା ବ୍ୟତୀତ କିମ୍ବଦନ୍ତୀରେ ଉଲ୍ଲେଖ ଅଛି, ମହିଷାସୁର ଏହି ଦିନ ସ୍ୱର୍ଗ ଆକ୍ରମଣ କରିଥିଲା । ଫଳରେ ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ଅତ୍ୟାଚାରୀ ଦାନବଗଣ ଅନେକ ଋଷି ମୁନିଙ୍କୁ ନିହତ କରିଥିଲେ । ସେମାନଙ୍କୁ ଏହି ମହାଳୟା ତିଥିରେ ପିଣ୍ଡଦାନ କରାଯାଏ । ମହାଳୟା ଦିନ ଦେବତା ମାନଙ୍କ ପ୍ରାର୍ଥନା କ୍ରମେ ମା’ ଦୁର୍ଗା ଆର୍ବିଭୂତା ହୋଇଥିଲେ । ଏହାପରେ ମା’ ମହିଷାସୁର ସହିତ ନଅ ଦିନ ଧରି ଯୁଦ୍ଧ କରିଥିଲେ । ଦଶ ଦିନ ଅର୍ଥାତ ବିଜୟା ଦଶମୀରେ ଦାନବ ସଂହାର କରି ଧର୍ମ ଧ୍ୱଜା ସ୍ଥାପନ କରିଥିଲେ ।