ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିଦ୍ୟାଳୟ ପରିସରରେ ମୃତଦେହ ପୋତା ଯାଇଥିବା ଅଭିଯୋଗ। ଭୟଭୀତ ଅବସ୍ଥାରେ ଅଛନ୍ତି ଛାତ୍ରଛାତ୍ରୀ। ଏଭଳି ଘଟଣା ଭୁବନେଶ୍ବର ପ୍ରଶାନ୍ତି ବିହାର ଅଞ୍ଚଳରେ ଥିବା ବିଜୁ ପଟ୍ଟନାୟକ ମୋମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ପୋଲିସକୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ କହିଛନ୍ତି ଯେ, ଗତ ୧୧ ତାରିଖରେ ବିଦ୍ୟାଳୟ ପରିସରରେ ଏକ ମୃତଦେହ ପୋତାଯାଇଛି। ଆମେ ପିଲାଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ଜୋର ଦେଉଥିବା ବେଳେ ପିଲା ମୃତଦେହ ଭୟରେ ବିଦ୍ୟାଳୟ ଆସିବାକୁ ଡରୁଛନ୍ତି। ଆମର ପାଚେରୀ କାନ୍ଥ ନଥିବାରୁ ଏପରି ଅସୁବିଧା ହେଉଛି । ସ୍ଥାନୀୟ ଲୋକ, ଗାଈ ସବୁବେଳେ ବିଦ୍ୟାଳୟରେ ପଶୁଛନ୍ତି। ସେହିପରି ଗୋଟେ ମୃତଦେହ ଦେଖିବା ପରେ ପିଲାମାନେ ମାନସିକ ଭାବେ ଆଘାତ ପାଇଛନ୍ତି। ଏ ସମ୍ପର୍କରେ ୧୦୦ ନମ୍ବରକୁ ଫୋନ କରି ଆମେ ଜଣାଇଥିଲୁ। ସ୍ଥାନୀୟ କର୍ପୋରେଟରଙ୍କୁ ଜଣାଇବା ପରେ କିଛି ପଦକ୍ଷେପ ନିଆଗଲା ନାହିଁ।
ରାଜ୍ୟ ସରକାର ଶତ ପ୍ରତିଶତ ଉପସ୍ଥାନ କଥା କହୁଥିବା ବେଳେ ଏବେ ଏଭଳି ଘଟଣା ରାଜଧାନୀରେ ଦେଖିବାକୁ ମିଳିଛି । କିଭଳି ଭାବରେ ସ୍କୁଲ ପରିସରରେ ମୃତଦେହ ପୋତାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଗୋଟିଏ ମୃତଦେହକୁ ତିନି ଦିନ ଧରି ପୋତା ଯାଇଥିବା ସମସ୍ତଙ୍କ ନିକଟରେ ଖବର ରହିଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ।