ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି। ଏହି ଅବସରରେ ଯୋଜନାର ପ୍ରଥମ ବସରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣି ମାଲକାନଗିରିରୁ ଏମ୍.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରି ସେଠାରେ BQSର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ଉଚ୍ଛସିତ ଜନତାଙ୍କ ତାଳି, ସ୍ୱାଗତମ୍ ଧ୍ୱନି ଓ ମହିଳାମାନଙ୍କ ହୁଳହୁଳି ଧ୍ୱନି ମଧ୍ୟରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ “ମାଲକାନଗିରିରୁ ହିଁ ଏକ ଟଙ୍କିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରି ପ୍ରମୁଖ ଯୋଜନା ଆରମ୍ଭ କରିଥିଲି। ଆଜି ପୁଣି ଥରେ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା ‘ଲକ୍ଷ୍ମୀ ଯୋଜନା’ ଆରମ୍ଭ କରି ମୁଁ ବହୁତ ଖୁସି”। ଓଡିଶାର ବିକାଶରେ ମାଲକାନଗିରିର ଭୂମିକା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମା’ ମାନଙ୍କ ପାଇଁ BSKYରେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥାର ପ୍ରସ୍ତାବ ମାଲକାନଗିରି ରୁ ହିଁ ଆସିଥିଲା।
ସେ ପୁଣି କହିଥିଲେ ଯେ ଆମର ଏହି ଲକ୍ଷ୍ମୀ ଯୋଜନାର ସଂପର୍କ ମଧ୍ୟ ମାଲକାନଗିରି ସହ ରହିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାଲକାନଗିରି ଗସ୍ତରୁ ସେ ଲୋକଙ୍କ ଅସୁବିଧା ବିଷୟରେ ଜାଣିପାରିଥିଲେ। ତା ପରେ ଏହି ଲକ୍ଷ୍ମୀ ଯୋଜନାର ପରିପକଳ୍ପନା କରାଗଲା ବୋଲି ସେ କହିଥିଲେ। ଏହି ଯୋଜନା ଆମର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଆମର ଅର୍ଥନୀତିକୁ ଆହୁରି ମଜବୁତ କରିବ ଏବଂ ଗାଁ ଗାଁରେ ସମୃଦ୍ଧି ଆଣିବ ବୋଲି ସେ କହିଥିଲେ।