ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଷାଠିଏ ସତୁରୀ ଦଶକରେ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତି ରଚିଥିବା ସେହି କୋଟି ଓଡ଼ିଆଙ୍କ ମଉଡମଣି ଅକ୍ଷୟ ମହାନ୍ତି। ସେହି ଓଡ଼ିଆ ସଂଗୀତ ବେତାଜ ବାଦଶାହାଙ୍କର ଆଜି ଜନ୍ମ ଜୟନ୍ତୀ। ୧୯୩୬ ମସିହା ଅକ୍ଟୋବର ୧୨ରେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ। ସଂଗୀତ ଶିକ୍ଷା ନନେଇ ବି ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ।
ପବିତ୍ର ମହାଳୟାରେ କଟକ ଜିଲ୍ଲା ବାଙ୍କୀ ମୁଣ୍ଡେଇରେ ମହାନଦୀ ତୀରେ ଜନ୍ମ ହୋଇଥିଲେ ସଂଗୀତ ସାମ୍ରାଜ୍ୟର ଅଜାତ ଶତ୍ରୁ। ସଂଗୀତ ଶିକ୍ଷା ନେଇନଥିଲେ ସତ ହେଲେ ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ। ସଂଗୀତଠୁ ଅଭିନୟ ଆଉ ସାହିତ୍ୟ । ସବୁଥିରେ ଅକ୍ଷୟ ଥିଲେ ପାରଙ୍ଗମ । ସେ ଲେଖିଥିଲେ ୭ ଖଣ୍ଡ ଉପନ୍ୟାସ, ଗଳ୍ପ ସଂକଳନ ଓ ଗୀତିକଥା ଏବଂ ଗୋଟିଏ ଭ୍ରମଣ କାହାଣୀ। ଆର୍ଯ୍ୟ ଦାସର ଶେଷଲିପିରେ ସେ ଲେଖିଛନ୍ତି ତାଙ୍କ ଜୀବନ କାହାଣୀ।
୧୯୫୬ରେ ଆକାଶବାଣୀ କଟକର ସ୍ବିକୃତୀପ୍ରାପ୍ତ ଗୀତିକାର ଓ ୧୯୫୯ରେ ସଂଗୀତ ସଂଯୋଜକ ଭାବେ ପ୍ରତିଷ୍ଠାଲାଭ କରିଥିଲେ। ‘ମା’ ଚଳଚ୍ଚିତ୍ରର ‘ଗୋରୀ ଗୋରୀ’ ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ସଂଗୀତ। ‘ମଲାଜହ୍ନ’ ଚଳଚ୍ଚିତ୍ରରେ ସେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ସୁଦୀର୍ଘ କ୍ୟାରିୟରରେ ୧୨୯ଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଛନ୍ତି। ଏହା ସହିତ ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି, ୭୫ଟି ଫିଲ୍ମର ସଂଗୀତ ନିର୍ଦେଶନା ଦେଇଛନ୍ତି। ତିନିଟି ଚଳଚ୍ଚିତ୍ରରେ ଅଭିନୟ ସହିତ ଗୋଟିଏ ସିନେମାରେ ଯୁଗ୍ମ ନିର୍ଦେଶକ ରହିଛନ୍ତି ।