ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ଜାତୀୟତାବାଦୀ ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା, ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାଯୋଦ୍ଧା, ବାଗ୍ମୀ ଉତ୍କଳମଣି ଗୋପବନ୍ଧୁ ଦାସ। ନୈତିକତାସମ୍ପନ୍ନ ରାଜନୀତି, ସାହିତ୍ୟ, ସାମ୍ବାଦିକତାର କିମ୍ବଦନ୍ତୀ ପୁରୁଷ ପୁଣ୍ୟାତ୍ମା ଗୋପବନ୍ଧୁ। ୧୮୭୭ ମସିହା ଅକ୍ଟୋବର ୯ରେ ଜନ୍ମ ପୁରୀ ଜିଲ୍ଲାର ସୁଆଣ୍ଡୋରେ ଜନ୍ମଲାଭ କରିଥିଲେ ଗୋପବନ୍ଧୁ। ଦାରିଦ୍ର୍ୟ ଭିତରେ ରହି ମଧ୍ୟ ସେ କୋଟିପ୍ରାଣରେ ଆଣିଥିଲେ ଜାଗରଣ।
ତେବେ ସେହି ମହାନ ଆତ୍ମା ଉତ୍କଳମଣିଙ୍କ ଜନ୍ମମାଟିର କାୟାକଳ୍ପ ବଦଳାଇଛନ୍ତି ରାଜ୍ୟ ସରକାର। ଗୋପବନ୍ଧୁଙ୍କର ୧୫ ଫୁଟ୍ ଉଚ୍ଚ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହିତ ବିକଶିତ ହୋଇଛି ଶିବ ମନ୍ଦିର, ପୁଷ୍କରଣୀ, ମ୍ୟୁଜିୟମ ଓ ରୂପାନ୍ତରିତ ପୈତୃକ ବାସଗୃହ, ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ସୂଚନା କେନ୍ଦ୍ର। ୨୫ କୋଟି ୮ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି।
ଜାତୀୟତା ବାର୍ତ୍ତାଧର୍ମୀ ସାହିତ୍ୟ ରଚନା, ହଇଜା ପୀଡ଼ିତ ଲୋକମାନଙ୍କର ସେବା, ପରିବେଶ ପରିଚ୍ଛନ୍ନତା ଆଦି କାର୍ଯ୍ୟରେ ନିଜକୁ ବ୍ରତୀ କରିଥିଲେ ଗୋପବନ୍ଧୁ। ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରୁ ଅନ୍ୟତମ ରଥୀ ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ନେଇଥିଲେ ପ୍ରମୁଖ ଭୂମିକା। ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଯେଉଁମାନ ଆନ୍ଦୋଳନରେ ସାମିଲ ଥିଲେ ସେମାନଙ୍କ ମଧ୍ୟରେ ଗୋପବନ୍ଧୁ ଅଗ୍ରଗଣ୍ୟ ଥିଲେ ।
୧୯୦୩ରେ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ବି ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ। ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଲାଗି ବାଟ ଫିଟାଇଥିଲା ଏହି ସମ୍ମିଳନୀ। ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ଗୋପବନ୍ଧୁ ପରବର୍ତ୍ତୀ ପର୍ଯ୍ୟାୟରେ ହୋଇଥିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ। ଗୋପବନ୍ଧୁଙ୍କ ପରି ଜଣେ ମହାନ ଜନସେବୀଙ୍କୁ ଜନ୍ମ ଦେଇ ଅନେକ ଗରିମା ସାଉଁଟିଛି ସୁଆଣ୍ଡୋ।