ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆନ୍ନା ଆନ୍ଦୋଳନ ପରେ ଗଢି ଉଠିଥିଲା ଏକ ରାଜନୈତିକ ଦଳ । ଯାହାର ନାଁ ଥିଲା ‘ଆମ ଆଦମୀ ପାର୍ଟି’ । ଏହି ରାଜନୈତିକ ଦଳର ଏଭଳି ଜଣେ ବ୍ୟକ୍ତିବିଶେଷ ସମ୍ପର୍କରେ ଆମେ ଜଣେଇବୁ , ଯିଏ ଭାରତୀୟ ରାଜନୀତିରେ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି । ବୋଧ ହୁଏ ଆପଣମାନେ ଅନୁମାନ କରିପାରୁଥିବେ କାହା ସମ୍ପର୍କରେ ଆମେ କହିବାକୁ ଯାଉଛୁ । ସେ ଆଉ କେହି ନୁହେଁ, ରାଜନୀତି ମୈଦାନରେ ‘ଆମ ଆଦମୀ ପାର୍ଟି’ର ଭିତ୍ତି ପ୍ରସ୍ତର ସ୍ଥାପନା କରିଥିବା ଅରବିନ୍ଦ କେଜ୍ରିୱାଲ ।
‘ଜନ ଲୋକପାଲ ବିଲ’ ଆନ୍ଦୋଳନ କରି ଭାରତୀୟ ରାଜନୀତିରେ ପ୍ରବେଶ କରିଥିବା ଏହି ନେତା ଗୋଟେ ସମୟରେ ରାଜନୀତିରେ ତୀବ୍ର ସକ୍ରିୟତା ସହ ପୂରା ଭାରତର ଧ୍ୟାନ ନିଜ ଉପରକୁ ଟାଣି ନେଇଥିଲେ । ହରିୟାଣାରେ ଜନ୍ମିତ ଅରବିନ୍ଦ କେଜ୍ରିୱାଲ , ତାଙ୍କ ପିତା ଜଣେ ଇଲେକ୍ଟିକାଲ ଇଞ୍ଜିନିୟର , ଏକ ମଧ୍ୟବିତ୍ତ ପରିବାରର ସଦସ୍ୟ ହେଉଛନ୍ତି କେଜ୍ରିୱାଲ । ନିଜ ଭାଇ , ଭଉଣୀଙ୍କ ଠାରୁ ସେ ବଡ । ଅରବିନ୍ଦ ଙ୍କ ପିଲା ବେଳର ଅନେକ ସମୟ ଉତ୍ତରଭାରତ ସହରରେ ବିତିଛି । ୧୯୯୨ରେ କର୍ମ କ୍ଷେତ୍ରରୁ ଇସ୍ତଫା ଦେଇ ସିଭିଲ ସର୍ଭିସର ପ୍ରସ୍ତୁତି ଆରମ୍ଭ କରିଥିଲେ । ପରୀକ୍ଷାରେ ସଫଳ ହୋଇ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କଲେ । ସେ ରାଜନୀତିରେ ଅଂଶଗ୍ରହଣ କରିବାର ମଧ୍ୟ ଅନେକ କାରଣ ଥିଲା ।
ଆନ୍ନା ହଜାରୀଙ୍କ ‘ଜନ ଲୋକପାଲ ଆନ୍ଦୋଳନ’ ରେ ବହୁ ସକ୍ରିୟତାର ସହ କେଜ୍ରିୱାଲ କାମ କରୁଥିଲେ । କିନ୍ତୁ ଏହି ଆନ୍ଦୋଳନର ଉଦ୍ଦେଶ୍ୟ ସଫଳ ହୋଇପାରୁ ନଥିଲା । ଆନ୍ନାଙ୍କ ମତରେ “ରାଜନୀତି ପଙ୍କ ସେଥିରେ ପଶିଲେ ବ୍ୟକ୍ତି ମଇଳା ହୋଇଯାଏ” , କିନ୍ତୁ କେଜ୍ରିୱାଲଙ୍କ ମତରେ “ଏହି ପଙ୍କ ସଫା କରିବା ବି ଆମ ଦେଶବାସୀଙ୍କ କାମ, ଆନ୍ଦୋଳନ ସହ ଦେଶକୁ ଏକ ସୁସ୍ଥ ଓ ସକ୍ରିୟ ରାଜନୀତିର ମଧ୍ୟ ଆବଶ୍ୟତା ଅଛି” । ଆନ୍ଦୋଳନରେ ଭାଗ ନେବା ପରେ କେଜ୍ରିୱାଲ ଏକ ଦଳ ପ୍ରସ୍ତୁତ କରିବାର ଆବଶ୍ୟକତା ଅନୁଭବ କଲେ । ନଭେମ୍ବର ୨୦୧୨ ରେ ସେ ‘ଆମ ଆଦମୀ ପାର୍ଟି’ ଆରମ୍ଭ କଲେ । ଆରମ୍ଭରୁ ହିଁ ସେ ବିବାଦ ଘେରରେ ରହି ଆସିଛନ୍ତି । ଅନେକ ନେତା କେଜ୍ରିୱାଲଙ୍କ ଉପରେ ମାନହାନୀ ଆରୋପ ଲଗାଇଛନ୍ତି । ଅରବିନ୍ଦ ଙ୍କ ଉପରେ ଏହି ଆରୋପ ମଧ୍ୟ ଲାଗିଛି ଯେ, ସେ ମନମୁତାବିକ କାର୍ଯ୍ୟ କରି ଏଭଳି କିଛି ଲୋକଙ୍କୁ ଟିକେଟ ଦେଇଛନ୍ତି ଯେଉଁ ମାନଙ୍କ ପାଖରେ ମିଛ ଡିଗ୍ରୀ ରହିଛି । ଏହା ଛଡା ଲୋକଙ୍କ ପଇସାରେ ସେ ସୁଖ ସ୍ୱଛନ୍ଦର ଜୀବନ ବିତାଉଥିବା ଅଭିଯୋଗ ମଧ୍ୟ ଆସିଥିଲା । ତାଙ୍କ ଘରେ ୩୫ଟି ଏସି ଓ ଏକାଧିକ କୁଲର ଥିବା କଥା ମଧ୍ୟ ଜଣାପଡିଥିଲା ।
ସବୁ ପରେ ବି ସମୀକ୍ଷାରୁ ଜଣାପଡେ, ଅରବିନ୍ଦ କେଜ୍ରିୱାଲ ଶିକ୍ଷା ହେଉ ବା ରାଜନୀତି କ୍ୟାରିଅର ସବୁଥିରେ ବେଶ ସକସେସଫୁଲ । ସେ ପ୍ରଥମ ଚେଷ୍ଠାରେ ଆଇ ଆଇ ଟି ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ । ଖାଲି ସେତିକି ନୁହେଁ ସିଭିଲ ସର୍ଭିସ ଏଣ୍ଟ୍ରାସରେ ବି ସେ ପ୍ରଥମ ଥରରେ ପାସ ହୋଇଯାଇଥିଲେ । କଲେଜ ସମୟରେ ସେ ରାଜନୀତି ପ୍ରତି ଆକୃଷ୍ଟ ନ ଥିଲେ । ତାଙ୍କର ପସନ୍ଦ ଥିଲା ଥିଏଟର । ଅମିର ଖାନ ତାଙ୍କର ଫେଭରାଇଟ ହିରୋ । ଅମିର ଖାନଙ୍କର ପ୍ରାୟ ସବୁ ଫିଲ୍ମ ଦେଖନ୍ତି କେଜ୍ରିୱାଲ । ଆଇ ଆର ଏସ ଅଫିସର ଥିବା ଦିନରେ ସେ କେବେ ଚପରାସିଙ୍କ ଦ୍ୱାରା କାମ କରାନ୍ତି ନାହିଁ । ନିଜ ଡେସ୍କ ବି ସେ ନିଜେ ସଫା କରନ୍ତି ।