ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା। ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖେଳାଳିଙ୍କ ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖେଳାଳିଙ୍କ ସହ ଦଳର ଅନ୍ୟ ସପୋର୍ଟ ଷ୍ଟାଫଙ୍କ ଲାଗି ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପଦକ ବିତରଣ ପରେ ମୁଖ୍ୟମନ୍ତ୍ରୀ ଟିମ ଇଣ୍ଡିଆ ସଦସ୍ୟଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ। ଏହି ଅବସରରେ ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ଉତ୍ସାହିତ କରିଥିଲେ।
ଆଜିର ସଫଳତା ପ୍ରମାଣ କରିଛି ଯେ, ହକି ଏବେବି ଭାରତର ପ୍ରମୁଖ କ୍ରୀଡା ଭାବେ ସ୍ଥାନ ବଜାୟ ରଖିଛି। ଓଡ଼ିଶାରେ ମଧ୍ୟ ହକି ପ୍ରତି ସମସ୍ତଙ୍କ ଭଲ ପାଇବା ରହିଛି। ଏହି ବିଜୟ ଆମ ସମସ୍ତଙ୍କ ମନରେ ଅବିସ୍ମରଣୀୟ ହୋଇ ରହିବ। ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। 5T ସଚିବ ଭିକେ ପାଣ୍ଡିଆନ ଦଳକୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଭାରତୀୟ ଖେଳାଳି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ସ ଭଳି ଖେଳିଥିଲେ ଏବଂ ସେମାନେ ସ୍ୱର୍ଣ୍ଣ ପାଇଁ ହକଦାର ଥିଲେ।