ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର। ଚୀନର ହଙ୍ଗଝୌରେ ଜାରି ଏସୀୟ କ୍ରୀଡ଼ା ୨୦୨୩ର ଜାଭେଲିନ ଥ୍ରୋରେ ଇତିହାସ ରଚିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ସୂଚନାଥାଉକି, ଫାଇନାଲ୍ରେ କିଶୋର ନୀରଜ ଚୋପ୍ରାଙ୍କୁ କଡ଼ା ଟକ୍କର ଦେଇ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଛନ୍ତି। ଏହା ସହ ନିଜ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି।
କିଶୋର ଜେନା ୮୧.୨୬ ମିଟର ଫିଙ୍ଗି ଫାଇନାଲ୍ରେ ନିଜର ଅଭିଯାନ ଆରମ୍ଭ କରିଥିଲେ। ସେ ପ୍ରଥମ ପ୍ରୟାସରେ ନୀରଜଙ୍କୁ କଡ଼ା ଟକ୍କର ଦେଇଥିଲେ। ନୀରଜ ଦ୍ଵିତୀୟ ପ୍ରୟାସରେ ୮୪.୪୯ ମିଟର ଜାଭେଲିନ ଫିଙ୍ଗିଥିବା ବେଳେ କିଶୋର ଫିଙ୍ଗିଥିଲେ ୭୯.୭୬ ମିଟର। ଆଉ ତୃତୀୟ ପ୍ରୟାସରେ କିଶୋର ୮୬.୭୭ ମିଟର ଭାଲା ଫିଙ୍ଗି ନୀରଜଙ୍କୁ ଅତିକ୍ରମ କରିଥିଲେ। ଚତୁର୍ଥ ପ୍ରୟାସରେ ନୀରଜ ୮୮.୮୮ ମିଟର ଫିଙ୍ଗି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। କିଶୋର ମଧ୍ୟ ନିଜର ଚତୁର୍ଥ ଉଦ୍ୟମରେ ଶ୍ରେଷ୍ଠ ପ୍ରଦର୍ଶନ କରି ୮୭.୫୪ ମିଟର ଭାଲା ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି।