ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା। ବାୟୁସେନା ହାତରେ ପ୍ରଥମ ହାଲୁକା ଲଢୁଆ ଟୁ ସିଟର ବିମାନ ବା ଏଲସିଏ ତେଜସକୁ ଅର୍ପଣ କଲା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ। ଏଲସିଏ ଟୁଇନ ସିଟର ଟ୍ରେନର ଏୟାରକ୍ରାଫ୍ଟ ଉତ୍ପାଦନ କ୍ଷେତ୍ରରେ ଏହା ବି ହୋଇଛି ଏକ ମାଇଲ ଖୁଣ୍ଟି। ଏହା ବାୟୁସେନାର ସମସ୍ତ ପ୍ରଶିକ୍ଷଣ ସମ୍ପର୍କିତ ଆବଶ୍ୟକତାକୁ ପୂରଣ କରିବ। ଚଳିତ ବର୍ଷ ୧୮ଟି ଟୁଇନ ସିଟର ଏଲସିଏ ଯୋଗାଇଦେବା ଲାଗି ବାୟୁସେନା ପକ୍ଷରୁ ଏଚଏଏଲକୁ ଅର୍ଡର ଦିଆଯାଇଥିଲା। ଆସନ୍ତା ୨୦୨୬-୨୭ ସୁଦ୍ଧା ୧୦ଟି ଟୁଇନ ସିଟର ଯୋଗାଇଦିଆଯିବ ବୋଲି ସୂଚନା ମିଳିଛି। ଏଲସିଏ ତେଜସ ହେଉଛି ଭାରତର ଗବେଷଣା କାରିଗରି କ୍ଷେତ୍ରରେ ଏକ ଉତ୍କର୍ଷ ନମୁନା। ୨୦୨୭-୨୮ ସୁଦ୍ଧା ଏଲସିଏ ତେଜସର ସିରିଜ ଉତ୍ପାଦନ ଲାଗି ଏଚଏଏଲ ପକ୍ଷରୁ ଯୋଜନା କରାଯାଇଛି। ଏହି ଅବସରରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ। ଏୟାର ଚିଫ ମାର୍ଶଲ ଭି. ଆର. ଚୋଧୁରୀ ପ୍ରମୁଖ। ଏହା ସହ ବାୟୁସେନା, ପ୍ରତିରକ୍ଷା ମନ୍ତ୍ରାଳୟ. ଡିଜିଏକ୍ୟୁଏ, ଡିଆରଡିଓ ଆଦି ସଂଗଠନର ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।