ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଅସମ୍ମାନ ଘଟଣାରେ ସାରା ରାଜ୍ୟରେ ବିଜେପି ବିଧାୟକଙ୍କ ବିରୋଧରେ ପ୍ରତିବାଦ। କଟକରେ ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ବିରୋଧ କରାଯାଇଛି। କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ନିକଟରୁ ଆରଡିସିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କରାଯାଇଛି ପଦଯାତ୍ରା। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ।
କେବଳ କଟକ ନୁହେଁ ରାଜଧାନୀ ଭୁବନେଶ୍ବର ଓ ବ୍ରହ୍ମପୁରରେ ମଧ୍ୟ ବିଜେପି ବିଧାୟକଙ୍କୁ ବିରୋଧ। ଭୁବନେଶ୍ବରରେ ଦଳିତ ମହାସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ବ୍ରହ୍ମପୁରରେ ମଧ୍ୟ ଦଳିତ ମହାସଂଘ ପକ୍ଷରୁ ବିଜେପି ବିଧାୟକଙ୍କ ବିରୋଧରେ ତୀବ୍ର ପ୍ରତିବାଦ।
ସ୍ବାଧୀନତା ପରେ ଓଡ଼ିଶାର ପ୍ରଥମ ମହିଳା ଭାବେ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ଆସନରେ ବସାଇଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ମହିଳା ସଶକ୍ତିକରଣକୁ ଗ୍ରହଣ କରିପାରୁନାହିଁ ବିଜେପି। ବିଧାନସଭା ଭଳି ପବିତ୍ର ଗୃହରେ ବାଚସ୍ପତିଙ୍କୁ ଅସମ୍ମାନ କରି ବିଜେପି କଳା ଅଧ୍ୟାୟ ସୃଷ୍ଟି କରିଛି। ମହିଳାମାନେ କହିଛନ୍ତି ଗୋଟିଏ ପଟେ କେନ୍ଦ୍ର ସରକାର ସଂସଦରେ ୩୩ ପ୍ରତିଶତ ଆସନ ମହିଳାଙ୍କ ସଂରକ୍ଷଣ ବିଲକୁ ପାସ କରାଇଛନ୍ତି ହେଲେ ରାଜ୍ୟରେ ବିଜେପି ବିଧାୟକ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରୁଛନ୍ତି। ଏଭଳି ଆଚରଣ ପାଇଁ ଦୁଇ ବିଜେପି ବିଧାୟକ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି।
ସେହିପରି ଗତକାଲି ଭୁବନେଶ୍ବରରୁ ବ୍ରହ୍ମପୁର, କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା କରି ପ୍ରତିବାଦ ଜଣାଇଥିଲା ମହିଳା ବିଜୁ ଜନତା ଦଳ। ହଜାର ହଜାର ମହିଳା ମହମବତୀ ଶୋଭାଯାତ୍ରା କରି ବିଜେପି ବିଧାୟକଙ୍କ ଆଚରଣକୁ ନିନ୍ଦା କରିଥିଲେ। ଗୃହର ଗରିମା ଭାଙ୍ଗି ମହିଳା ବାଚସ୍ପତିଙ୍କୁ ଯେଭଳି ଭାବରେ ଦୁଇ ବିଜେପି ବିଧାୟକ ଅସମ୍ମାନ କଲେ ତାହାକୁ ନିନ୍ଦା କରିଛି ବିଜେଡି। ହଜାର ହଜାର ମହିଳା ଏକତ୍ରିତ ହୋଇ ବିଜେପିର ଏଭଳି ଘୃଣ୍ୟ ଆଚରଣକୁ ସମାଲୋଚନା କରିଥିଲେ।