ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୋଷଣ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଆଜି ଅଗ୍ରଣୀ। ପୁଷ୍ଟି ସାଧନକୁ ଗୁରୁତ୍ବ ଦେଇ ପ୍ରତି ବର୍ଷ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରାଯାଏ। ପୋଷଣ ମାସକୁ ଅତି ଯତ୍ନ ସହକାରେ ପାଳନ କରାଯାଇଛି। ଭୁବନେଶ୍ବର ଗୃହ ଅର୍ଥନୀତି ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଛି ପୋଷଣ ମାସ ସମାପ୍ତି ଉତ୍ସବ। ଉତ୍ସବରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଓ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ମନ୍ତ୍ରୀ କହିଛନ୍ତି , “ପୋଷଣ ସ୍ଥିତିକୁ ଦୃଢ଼ କରିବା ପାଇଁ ଆମ ରାଜ୍ୟରେ ତଥା ସମଗ୍ର ଦେଶରେ ପ୍ରଥମ କରି ଅତି ଗୁରୁତ୍ୱପୂର୍ଣ୍ଣ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଓ ‘ପଡା ପୁଷ୍ଟି କାର୍ଯ୍ୟକ୍ରମ’କୁ ଆରମ୍ଭ କରାଯାଇଛି। ଏହା ବ୍ୟତୀତ ଅଙ୍ଗନବାଡ଼ିର ସଫଳ ରୂପାନ୍ତରୀକରଣ ଓ ପ୍ରତ୍ୟେକ ମାସରେ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ କରାଯାଇ ଜନସଚେତନତା ସୃଷ୍ଟି କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ପ୍ରଥମ କରି ପୋଷଣ ବଜେଟ୍ ପ୍ରସ୍ତୁତ କରାଯାଇଛି । ପୁଷ୍ଟିସାଧନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରିଛି ।”