ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କଟକ ସହରରେ ଧୁମଧାମରେ ପାଳନ ହେଲା ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ। ଇସଲାମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକ ସହରରେ ବିଭିନ୍ନ ସାହି ମସଜିଦ କମିଟି ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା। କଟକ ସହର ଓ ଉପକଣ୍ଠ ଅଞ୍ଚଳର ପାଖାପାଖି ୫୫ ରୁ ୬୦ ଟି ସାହି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସମସ୍ତେ ନିଜ ନିଜ ସାହି ପରିକ୍ରମା କରିବା ପରେ ମାତାମଠ ଛକ ଠାରେ ଏକାଠି ହୋଇଥିଲେ। ସେଠାରୁ ସମସ୍ତେ ଏକା ସହିତ ବାହାରି ବକ୍ସି ବଜାର, ସୂତାହାଟ ଦେଇ ପ୍ରଫେଟ ମହମ୍ମଦଙ୍କ ଥିବା ପାଦଚିହ୍ନ କଦମ ଏ ରସୁଲରେ ପହଞ୍ଚିଥିଲେ। ସେଠି ସାମୁହିକ ପ୍ରାର୍ଥନା କରାଯାଇଥିଲା। ସମସ୍ତେ ଏହି ଶୋଭାଯାତ୍ରାରେ ହାତରେ ଇସଲାମ ଧର୍ମର ପତାକା ଓ ତ୍ରିରଙ୍ଗା ଧରି ସାମିଲ ହୋଇଥିଲେ। ଏହା ସହ ଏଥିରେ ମସଜିଦ, ମକ୍କା ମଦିନାର ପ୍ରଜ୍ଞାପନ ମେଢ଼ ମଧ୍ୟ ସାମିଲ ହୋଇଥିଲା।
ଚଳିତ ବର୍ଷ ସୂତାହାଟ ମହଲ୍ଲା କମିଟି ପକ୍ଷରୁ ତ୍ରିରଙ୍ଗା ଥିମରେ ଶୋଭାଯାତ୍ରା ବାହାରିଥିଲା। ଏହା ସହ ସୂତାହାଟ ପକ୍ଷରୁ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଭାଇଚାରାର ସହରରେ ସମସ୍ତେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଶାନ୍ତି, ପ୍ରେମ ଓ ସ୍ନେହର ବାର୍ତ୍ତା ଦେଇଥିଲେ। ସମସ୍ତେ ପରସ୍ପରକୁ ଶୁଭେଚ୍ଛା ମଧ୍ୟ ଜଣେଇଥିଲେ। ତେବେ ମହମ୍ମଦଙ୍କ ଜୟନ୍ତୀ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବେଶ ଆଡ଼ମ୍ବରର ସହ କଟକ ରେ ପାଳନ କରାଯାଇଛି । ହଜାର ହଜାର ମୁସଲମାନ ଭାଇ ଏହି ବଡ଼ ପର୍ବ ରେ ସାମିଲ ହୋଇଛନ୍ତି ।