ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଉନାହାନ୍ତି ସବୁଜ ବିପ୍ଲବର ଜନକ ଏମଏସ ସ୍ବାମୀନାଥନ। ୯୮ ବର୍ଷ ବୟସରେ ସ୍ବାମୀନାଥନଙ୍କ ହୋଇଛି ପରଲୋକ। ଜଣେ ଅନ୍ତର୍ଜାତୀୟ ସ୍ତରର କୃଷିଅର୍ଥନୀତିଜ୍ଞ, କୃଷି ବିଜ୍ଞାନୀ ଓ ପ୍ଲାଣ୍ଟ ଜେନେଟିସିଷ୍ଟ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ବାମୀନାଥନ। ଗହମ ଓ ଧାନକୁ ଅଧିକ ଉତ୍ପାଦନକ୍ଷମ କରିବା ଦିଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଏମଏସ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ସେ ପ୍ରତିଷ୍ଠାତା ଥିଲେ। ଟାଇମ ମାଗାଜିନରେ ବିଂଶ ଶତାବ୍ଦୀର ସବୁଠାରୁ ପ୍ରଭାବଶାଳୀ ଏସୀୟଙ୍କ ତାଲିକାରେ ତାଙ୍କ ନାମ ସ୍ଥାନୀତ ହୋଇଥିଲା। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବା ୟୁଏନଇପି ପକ୍ଷରୁ ତାଙ୍କୁ ଇକୋନୋମିକ ଇକୋଲୋଜିର ଜନକ ଭାବେ ଉପସ୍ଥାପିତ କରାଯାଇଥିଲା।
ସ୍ବାମୀନାଥନ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓ ମହାନିର୍ଦ୍ଦେଶକ, ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗ ସଚିବ, କୃଷି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ, ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଓଡିଶାର ଜୟପୁରଠାରେ ଏମଏସ ସ୍ବାମୀନାଥନ ଗବେଷଣା କେନ୍ଦ୍ରର ଏକ ଶାଖା ଖୋଲିଥିଲେ ସ୍ବାମୀନାଥନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗବେଷଣାଗାର ଲାଗି ଜମି ଯୋଗାଇଥିଲେ।