ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମୁନ, ସନ ପରେ ଏବେ ଭେନସ ମିଶନ। ଶୁକ୍ର ଗ୍ରହକୁ ଅଭିଯାନ ଆରମ୍ଭ କରିବ ଇସ୍ରୋ। ପ୍ରଥମେ ଚନ୍ଦ୍ର ମିଶନ ଓ ପରେ ସୂର୍ଯ୍ୟ ମିଶନ ଏବେ ଶୁକ୍ର ଅଭିଯାନ ଆରମ୍ଭ କରିବା ଲାଗି ପ୍ରସ୍ତୁତି ଚଳାଇଛି ଇସ୍ରୋ। ସୌର ଜଗତର ସବୁଠାରୁ ଉଜ୍ଜ୍ବଳତମ ଗ୍ରହକୁ ସ୍ପେସ କ୍ରାଫ୍ଟ ପଠାଯିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟା ଏସ. ସୋମନାଥ।
ଶୁକ୍ରକୁ ପଠାଯିବାକୁ ଥିବା ପେଲୋଡ ଗୁଡିକୁ ଇତି ମଧ୍ୟରେ ତିଆରି କରାଯାଇସାରିଛି। ଶୁକ୍ରର ଜଳବାୟୁ ଓ ତାହାର ପୃଷ୍ଠଦେଶ ସମ୍ପର୍କରେ ଗବେଷଣା ଇସ୍ରୋର ପ୍ରାଥମିକ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଏହି ଅଭିଯାନକୁ ଶୁକ୍ରଯାନ କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଜଣାଯାଇଛି- ଶୁକ୍ରଗ୍ରହର ପୃଷ୍ଠ ଦେଶ ଅତ୍ୟନ୍ତ ବହଳା ଏବଂ ଏସିଡରେ ପରିପୂର୍ଣ୍ଣ।
ଶୁକ୍ରଗ୍ରହର ଜଳବାୟୁ ଜନିତ ଚାପ ପୃଥିବୀ ତୁଳନାରେ ଶହେ ଗୁଣ ଅଧିକ। ତେଣୁ ଶୁକ୍ର ଅଭିଯାନ ଅତ୍ୟନ୍ତ କଷ୍ଟସାଧ୍ୟ। ସୋମନାଥ କହିଛନ୍ତି- ବର୍ତ୍ତମାନ ସୁଦ୍ଧା ଜଣାନାହିଁ ଶୁକ୍ରର ପୃଷ୍ଠଦେଶ କଠିନ ନା ନରମ। ଶୁକ୍ର ସମ୍ପର୍କରେ ତଥ୍ୟ ମିଳିଲେ ପୃଥିବୀର ଭବିଷ୍ୟତ ସମ୍ପର୍କରେ ବି ତଥ୍ୟ ମିଳିପାରିବ। ସେ ଆହୁରି କହିଛନ୍ତି ଆଉ ୧୦ ହଜାର ବର୍ଷ ପରେ ପୃଥିବୀର ବୈଶିଷ୍ଟ୍ୟରେ ପରିବର୍ତ୍ତନ ବି ଘଟିବା ସମ୍ଭାବନା ରହିଛି। ଅନେକ ବର୍ଷ ପୂର୍ବରୁ ବି ପୃଥିବୀ ବସବାସ ଯୋଗ୍ୟ ନଥିଲା। ଆସନ୍ତା ୨୦୩୦ ବେଳକୁ ନାସା ଓ ୟୁରୋପୀୟ ସ୍ପେସ ଏଜେନ୍ସି ଶୁକ୍ର ଅଭିଯାନ କରିବାକୁ ଯୋଜନା ରଖିଥିବାବେଳେ ସେମାନଙ୍କ ପରେ ଭାରତ ବି ଏହି ମିଶନରେ ସାମିଲ ହେବ। ପୂର୍ବରୁ ଭାରତ ୨୦୧୩ରେ ମଙ୍ଗଳ ମିଶନରେ ସଫଳ ହୋଇଥିଲା ଏବଂ ମଙ୍ଗଳ ଗ୍ରହର ଅନେକ ତଥ୍ୟ ଇସ୍ରୋ ପାଇବାକୁ ସକ୍ଷମ ହୋଇଥିଲା।