ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। କେତେବେଳେ ଯେ ବନ୍ଦ ହୋଇଯିବ ବିଶ୍ୱବିଦ୍ୟାଳୟ ଆଉ ମାନ୍ୟତା ହରାଇବ ତାକୁ ନେଇ ଏବେ ବଢ଼ିଲାଣି ଚିନ୍ତା। ସମ୍ବଲପୁରରେ ଥିବା ରାଜ୍ୟର ଏକ ମାତ୍ର ମୁକ୍ତ ବିଶ୍ୱବିଦ୍ୟାଳୟ ଏବେ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ଚାଲିଛି। କାରଣ NAACର ଗୋଟିଏ ବି ମାନ୍ୟତା ପୂରଣ କରୁନଥିବାରୁ ଏହା କେତେବେଳେ ବି ବନ୍ଦ ହୋଇପାରେ। ବିଶ୍ୱବିଦ୍ୟାଳୟ ଖୋଲିବାର ୮ ବର୍ଷ ପରେ ବି ଯେମିତି କୋଣଠେସା ହୋଇ ଏହା ପଡ଼ି ରହିଛିା
ଆଜି ଅଛି କାଲି ବୋଧେ ନଥିବ। ଏବେ ଚାଲୁଛି କିନ୍ତୁ କାଲି କ’ଣ ହେବ କାହାକୁ ଜଣା ନାହିଁ। ଏମିତି କିଛି ଦ୍ୱନ୍ଦ୍ୱ ଓ ଅନିଶ୍ଚିତତା ଭିତରେ ସମ୍ବଲପୁରରେ ଥିବା ରାଜ୍ୟର ଏକମାତ୍ର ସରକାରୀ ମୁକ୍ତ ବିଶ୍ୱବିଦ୍ୟାଳୟର ଭାଗ୍ୟ। କେତେବେଳେ ଯେ ଏହାର ମାନ୍ୟତା ଚାଲିଯିବ ଏନେଇ କୁଳପତିଙ୍କଠାରୁ ଛାତ୍ରଛାତ୍ରୀ ସମସ୍ତେ ଆଶଙ୍କାରେ ଅଛନ୍ତି।
ନାକ୍ର କିଛି ମାନଦଣ୍ଡ ଉପରେ ମୁକ୍ତ ବିଶ୍ୱବିଦ୍ୟାଳୟର ଭବିଷ୍ୟତ ନିର୍ଭର କରୁଛି। ସେଗୁଡ଼ିକ ହେଲା- ଉନ୍ନତ ଭିତ୍ତିଭୂମି, ନିଜସ୍ୱ ପାଠ୍ୟ ପୁସ୍ତକ ଓ ସିଲାବସ୍, ନିଜସ୍ୱ ଶିକ୍ଷକ ଓ କର୍ମଚାରୀ, ଗବେଷଣା ପାଇଁ ବ୍ୟବସ୍ଥା ଓ ହଷ୍ଟେଲ୍ ସୁବିଧା। ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଏଥିରୁ ଗୋଟିଏ ବି ମାନଦଣ୍ଡ ପୂରଣ କରୁନି ଏହି ମୁକ୍ତ ବିଶ୍ୱବିଦ୍ୟାଳୟ ଫଳରେ ଚଳିତ ବର୍ଷ ନାମଲେଖା ସମ୍ପୂର୍ଣ୍ଣ ବନ୍ଦ ରହିଛି।
୨୦୧୫ ମସିହାରେ ସମ୍ବଲପୁରରେ ଆରମ୍ଭ ହୋଇଥିଲା ଏହି ମୁକ୍ତ ବିଶ୍ୱବିଦ୍ୟାଳୟ। ୧୪ଟି ସ୍ନାତକୋତ୍ତର ଓ ୧୧ଟି ସ୍ନାତକ ପାଠ୍ୟକ୍ରମ ପାଇଁ ଶତାଧିକ ଛାତ୍ରଛାତ୍ରୀ ଆଡମିଶନ୍ ନେଇଥିଲେ। ୮ ବର୍ଷ ପରେ ବି ନିଜସ୍ୱ କୋଠା ନମିଳିବାରୁ ଗଙ୍ଗାଧର ମେହେର ୟୁନିଭର୍ସିଟି ଭିତରେ ଏମିତି କୋଣଠେସା ଭାବେ ସବୁ କାମ ଚାଲିଛି। ହେଲେ ଏତିକିରେ ସରିନି ସମସ୍ୟା ।
ବିଶ୍ୱବିଦ୍ୟାଳୟରେ ଏଯାଏ ପ୍ରଫେସର ତ ଦୂରର କଥା, ସହକାରୀ ପ୍ରଫେସର ବି ନିଯୁକ୍ତି ପାଇପାରିଲେନି। ଏସବୁକୁ ବିଶ୍ୱବିଦ୍ୟାଳୟର କୁଳପତି ସ୍ୱୀକାର କରିଛନ୍ତି। ବାରମ୍ବାର ଉଚ୍ଚଶିକ୍ଷା ବିଭାଗକୁ ଏ ସମ୍ପର୍କରେ ଜଣାଯାଇଛି। ୨୦୧୭ ଅନୁସାରେ, ନାମଲେଖା ଯାଇଥିଲା। କିନ୍ତୁ ୨୦୨୦ ନିୟମ ମୁତାବକ ବିଶ୍ୱବିଦ୍ୟାଳୟ ପାଖରେ ସେତିକି ମାନବ ସମ୍ବଳ ନାହିଁ ବୋଲି ସେ ଦୋହରାଇଛନ୍ତିା
ଅନ୍ୟପକ୍ଷେ, ଏନେଇ ଉତ୍ତରାଞ୍ଚଳ ଆରଡିସିଙ୍କୁ ଭେଟି ତୁରନ୍ତ ଅଧ୍ୟାପକ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି ମୁକ୍ତ ବିଶ୍ୱବିଦ୍ୟାଳୟ ବଞ୍ଚାଅ ସମିତିା ଆନ୍ତରିକତାର ଅଭାବ ହେଉ ଅବା ଅବହେଳା, ୮ ବର୍ଷ ଧରି ସରକାରୀ ବିଶ୍ୱବିଦ୍ୟାଳୟ ଏମିତି ଅଣଦେଖା ହେବା ସତରେ ଦୁର୍ଭାଗ୍ୟଜନକ।